ଓଡିଶା

odisha

ରଥଯାତ୍ରାରେ ବାଧକ ସାଜିଲା ଜବରଦଖଲ, ବିଳମ୍ବରେ ଗଡିଲା ଜଗା ରଥ

By

Published : Jun 21, 2023, 1:19 PM IST

ପ୍ରଥମଥର ପାଇଁ ରଥଯାତ୍ରାରେ ବ୍ୟାପକ ତୃଟି । ରଥ ମରାମତି ସମସ୍ୟା ଓ ସର୍ବୋପରି ଦାଣ୍ଡ ଜବରଦଖଲ ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଥିବା ବୁଦ୍ଧିଜୀବୀ ଅଭିଯୋଗ । ଅଧିକ ପଢନ୍ତୁ

boudh ratha yatra
boudh ratha yatra

boudh ratha yatra

ବୌଦ୍ଧ: ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି ମହାପ୍ରଭୁ । ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଳନ ହୋଇଯାଇଛି । ଯେଉଁଠି ଜଗନ୍ନାଥଙ୍କର ମନ୍ଦିର ଅଛି ସେଠାରେ ପାଳିତ ହେଉଛି ଚତୁର୍ଦ୍ଧା ମୁରତୀଙ୍କ ରଥଯାତ୍ରା । ଏହି କ୍ରମରେ ଐତିହାସିକ ସହର ବୌଦ୍ଧରେ ମଧ୍ୟ ରଥଯାତ୍ରା ପାଳନ ହୋଇଥିବା ବେଳେ ପ୍ରଥମଥର ପାଇଁ ବ୍ୟାପକ ସମସ୍ୟା ଦେଖା ଦେଇଥିଲା । ବିଳମ୍ବିତ ରାତିରେ ମାଉସୀ ମା’ ମନ୍ଦିରରେ ପହଞ୍ଚିଲେ ଚତୁର୍ଦ୍ଧା ବିଗ୍ରହ । ବଡ ଦାଣ୍ଡରେ ରଥ ପ୍ରାୟ ପାଞ୍ଚ ଥର ରାସ୍ତା କଡରେ ଅଟକି ରହିଥିଲା । ରଥଟଣାରେ ଏଥିପାଇଁ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ମନ ଦୁଃଖରେ ଫେରି ଯାଇଥିଲେ । ତେବେ ଏଭଳି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ମୁତାବକ, ଜିଲ୍ଲାର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଚତୁର୍ଦ୍ଧା ବିଗ୍ରହ ସେବାୟତଙ୍କ ଗହଣରେ ପହଣ୍ଡି ବିଜେ ହେବା ପରେ ରଥାରୂଢ ହୋଇଥିଲେ । ପ୍ରସିଦ୍ଧ ଘୂର୍ଣ୍ଣାୟମାନ ରଥ ସମଗ୍ର ପଶ୍ଚିମ ଓଡିଶାର ସର୍ବବୃହତ ରଥ ହୋଇଥିବା ବେଳେ ଘୋଷଯାତ୍ରା ନିମନ୍ତେ ବୌଦ୍ଧ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର ଶ୍ରଦ୍ଧାଳୁ ମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ଏହି ବୃହତ ରଥ ସହିତ ଅନ୍ୟ ଏକ ସାନ ରଥ ମଧ୍ୟ ଟଣା ହୋଇଥାଏ । ହରିଗୁଡି ଠାକୁରଙ୍କ ରଥ ଭାବରେ ପରିଚିତ ଏହି ସାନ ରଥକୁ କେବଳ ମହିଳା ମାନେ ଟାଣି ଥାଆନ୍ତି । ତେବେ ଗତକାଲି ଅପରାହ୍ନ ୪ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ହିଁ ବ୍ୟାପକ ସମସ୍ୟା ପରିଲକ୍ଷିତ ହୋଇଥିଲା । ରଥ ମାତ୍ର କିଛି ମିଟର ଗଡିଥିବା ବେଳେ ରାସ୍ତା କଡରେ ଲାଖି ଯାଇ ଦୀର୍ଘ ସମୟ ଧରି ଅଟକି ରହିଥିଲା । ଏଭଳି ଭାବରେ ପୋଡାପୋଡା ଛକରେ ପହଞ୍ଚିବା ବେଳକୁ ରଥ ପ୍ରାୟ ଚାରି ଥର ବିଭିନ୍ନ ସ୍ଥାନରେ ଲାଖି ରହିଥିଲା । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ରଥ କେବଳ ବାମ ପାର୍ଶ୍ଵକୁ ଟାଣି ହେଉଥିବାରୁ ରଥଚକ ମରାମତିରେ ସମସ୍ୟା ଥିବା ସନ୍ଦେହ କରାଯାଇଥିଲା ।

ଏହାପରେ ଶିକ୍ଷା ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଛୋଟ ପାର୍କରେ ରଥ ଲାଖି ଯାଇ ଆଉ ଆଗକୁ ଯାଇପାରି ନଥିଲା । ସମସ୍ତ ପ୍ରଚେଷ୍ଟା ବିଫଳ ହେବା ଦେଖି ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ମନଦୁଃଖରେ ଫେରି ଯାଇଥିଲେ । ବଡ ରଥଟି ଆଗକୁ ଗଡି ନ ପାରିବାରୁ ମହିଳା ମାନେ ଟାଣୁଥିବା ସାନ ରଥ ମଧ୍ୟ ବଡଦାଣ୍ଡରେ ଦୀର୍ଘ ସମୟ ଧରି ଅଟକି ରହିଥିଲା । ତେବେ ଏଭଳି ଅଘଟଣ ପ୍ରଥମଥର ପାଇଁ ଘଟିଥିବା ନେଇ ସ୍ଥାନୀୟ ଅଧିବାସୀ ମତ ପ୍ରକାଶ କରିଥିବା ବେଳେ ଏନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଶେଷରେ ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଞ୍ଚି ପାର୍କର ଲୁହାବାଡକୁ କଟର ମାଧ୍ୟମରେ କାଟି ସଫା କରିବା ପରେ ରଥଟଣା କାର୍ଯ୍ୟ ପୁଣିଥରେ ବିଳମ୍ବିତ ସମୟରେ ଅନୁଷ୍ଠିତ ହୋଇଥିଲା । ସ୍ବଳ୍ପ ସଂଖ୍ୟକ ଭକ୍ତ ଶ୍ରଦ୍ଧାଳୁ, ସେବାୟତଙ୍କ ଗହଣରେ ଠାକୁରଙ୍କ ରଥ ଓୟାରଲେସ ଛକରେ ଲାଗିବା ପରେ ବିଳମ୍ବିତ ରାତିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ମାଉସୀ ମା’ ମନ୍ଦିରରେ ବିଜେ କରାଯାଇଥିଲା । ତେବେ ଏଭଳି ଅଭାବନୀୟ ଘଟଣା ପାଇଁ ବର୍ତ୍ତମାନ ଦାୟୀ କିଏ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ବୁଦ୍ଧିଜୀବୀ ତଥା ରଥ ପରିଚାଳନା କମିଟିର ସଦସ୍ୟ ବୌଦ୍ଧର ବଡଦାଣ୍ଡ ଜବରଦଖଲ ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିବା ସହିତ ପରିଚାଳନା ଗତ ତୃଟି ଓ ରଥଚକ ମରାମତି ରେ ମଧ୍ୟ ତୃଟି ରହିଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details