ବୌଦ୍ଧ: ଜିଲ୍ଲାର ବହୁ ଚର୍ଚ୍ଚିତ ଯୁବ ବ୍ୟବସାୟୀ ରାଜା ହତ୍ୟାକାଣ୍ଡ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ତେବେ ରାଜାଙ୍କର ମୃତ୍ୟୁ ସହ ମାଉଜର ଲିଙ୍କକୁ ସାଧାରଣ ଲୋକ ଗ୍ରହଣ କରି ପାରୁନାହାନ୍ତି । ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଯୁବ ବର୍ଗ ପକ୍ଷରୁ ଦାବି କରାଯାଇଛି ।
ବୌଦ୍ଧ ଜିଲ୍ଲାର ଯୁବ ବ୍ୟବସାୟୀ ପ୍ରମୋଦ ପ୍ରସାଦ ଓରଫ ରାଜା ନିଖୋଜର ଅଠର ଦିନ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସ୍ପଷ୍ଟ କରିଥିଲା । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । କୋଟି କୋଟି ଟଙ୍କାର ମାଲିକ ରାଜା ମାତ୍ର 35 ହଜାର ଟଙ୍କା ନ ଫେରାଇବାରୁ ତଥା ଏକ ମାଉଜର ଡିଲକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ରାଜାର ବନ୍ଧୁ ଓ ସାଧାରଣ ଲୋକ ବିଶ୍ବାସ କରିପାରୁ ନାହାନ୍ତି । ଶନିବାର ବୌଦ୍ଧର ଶତାଧିକ ଯୁବକ ରାଜାର ସମର୍ଥନରେ ତା'ର ମୋବାଇଲ ଦୋକାନରେ ଏକାଠି ହୋଇଛନ୍ତି। ରାଜାର ହତ୍ୟା ପଛରେ ଅନେକ ଅଦୃଶ୍ୟ ଘଟଣା ରହିଥିବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଯୁବ ବର୍ଗ ଦାବି କରିଛନ୍ତି ।