ବୌଦ୍ଧ: 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ଏହି ଯୋଜନାର ଅର୍ଥରାଶି ପଞ୍ଚାୟତ ସଂଗଠନ ମାଧ୍ୟମରେ ବିନିଯୋଗ କରାନଯାଇ ପ୍ରଶାସନିକ ସ୍ତରରେ କରାଯିବା ନିଷ୍ପତ୍ତିକୁ ବୌଦ୍ଧ ଜିଲ୍ଲାର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ତୀବ୍ର ବିରୋଧ କରିଛି । ଏହି ପରିପ୍ରେକ୍ଷୀରେ ଆଜି ସଂଗଠନ ପକ୍ଷରୁ ଜିଲ୍ଲା କଂଗ୍ରେସର ଅନେକ ନେତା ଓ କର୍ମୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସମସ୍ତ ପଞ୍ଚାୟତକୁ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ରାଶି ଯୋଗାଇ ଦିଆଯିବ । ତେବେ ଏହି ଅନୁଦାନ ରାଶି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଜରିଆରେ ବିନିଯୋଗ କରାଯିବାକୁ ବୌଦ୍ଧ ଜିଲ୍ଲା କଂଗ୍ରେସର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ବିରୋଧ କରିଛି । ସଂଗଠନର କର୍ମକର୍ତ୍ତାମାନେ ଉକ୍ତ ଅର୍ଥରାଶି ପଞ୍ଚାୟତ ସଂଗଠନ ମାଧ୍ୟମରେ ଖର୍ଚ୍ଚ କରାଯିବାକୁ ଦାବି କରିଛନ୍ତି । ଏନେଇ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସର ଅନେକ ନେତା ଓ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହିତ ପଞ୍ଚାୟତ ସଂଗଠନ ମାଧ୍ୟମରେ ଅର୍ଥରାଶି ବିନିଯୋଗ କରାଯିବା ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଏହାମଧ୍ୟ ପଢନ୍ତୁ: Cabinet decision: 9 ପ୍ରସ୍ତାବକୁ ଗ୍ରୀନ ସିଗନାଲ; ଆମ ଓଡ଼ିଶା, ନବୀନ ଓଡ଼ିଶା ପ୍ରସ୍ତାବକୁ ମୋହର