ବୌଦ୍ଧ:ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ଥିବା ଦୈନିକ ବଜାରକୁ ନେଇ ଦେଖାଦେଇଛି ସମସ୍ୟା । ଦୟନୀୟ ଅବସ୍ଥାରେ ବଜାରର ଭାଗ୍ୟ ରହିଥିବା ବେଳେ ବର୍ତ୍ତମାନ ସମସ୍ତଙ୍କ ନଜର ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ନିଷ୍ପତ୍ତି ଉପରେ ରହିଛି । ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ଜିଲ୍ଲା ସଦର ମହକୁମା ରେ ରହିଥିବା ବେଳେ ଶତାଧିକ ବର୍ଷରୁ ରହିଛି ଦୈନିକ ବଜାର । ପରବର୍ତ୍ତୀ ସମୟରେ ଏହି ବଜାରର ନବୀକରଣ କରାଯାଇ ଏହାକୁ ଗଣେଶ ବଜାର ନାମରେ ନାମିତ କରାଯାଇଛି ।
ତେବେ ଗତ ପ୍ରାୟ ତିନି ବର୍ଷ ତଳେ କରୋନା ମହାମାରୀ ଯୋଗୁଁ ଉକ୍ତ ଦୈନିକ ବଜାରକୁ ବୁଦ୍ଧ ପାର୍କ ନିକଟସ୍ଥ ଭୈରବୀ ଖେଳ ପଡିଆକୁ ଅସ୍ଥାୟୀ ଭାବରେ ଉଠାଇ ନିଆଗଲା । ସେହିଦିନଠାରୁ ଦୈନିକ ବଜାରଟି ଶ୍ରୀହୀନ ହୋଇ ରହିଗଲା । ବର୍ତ୍ତମାନ ଦୈନିକ ବଜାର ବସୁଥିବା ସ୍ଥାନରେ ପୂର୍ବରୁ ଖେଳପଡିଆ ଥିବା ବେଳେ ବଜାର ଦ୍ବାରା ଖେଳରେ ମଧ୍ୟ ବାଧା ଉପୁଜୁଛି । ବଜାରର ସ୍ଥାନକୁ ନେଇ କେତେକ ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ମତାନ୍ତର ରହିଥିବା ବେଳେ ବର୍ତ୍ତମାନ ନବ ନିର୍ମିତ ଆଦର୍ଶ କୃଷି ବଜାରର ଭାଗ୍ୟ କଣ ହେବ ସେନେଇ ଉଠିଛି ପ୍ରଶ୍ନବାଚୀ । କାରଣ ପ୍ରାୟ ଅଠର କୋଟି ଟଙ୍କାରେ ନିର୍ମିତ ଆଦର୍ଶ କୃଷି ବଜାରରେ ପ୍ରତ୍ୟେକ ରବିବାର କେବଳ ହସ୍ତତନ୍ତ ବଜାର ବସୁଥିବା ବେଳେ ଅନ୍ୟ ସବୁଦିନ ଖାଲି ପଡୁଛି ।