ବୌଦ୍ଧ: ଉଦଘାଟିତ ହେଲା ପାରମ୍ପରିକ ଲୋକକଳା ମହୋତ୍ସବ । ଅଞ୍ଚଳର ଐତିହ୍ୟ କୁ ସୁରକ୍ଷା କରିବା ସହିତ ଲୁପ୍ତ ପ୍ରାୟ ଲୋକକଳାକୁ ବଞ୍ଚାଇବାକୁ ପ୍ରଚେଷ୍ଟା କରାଯାଇଛି । ମହାନଦୀ କୂଳରେ ଦୁଇ ହଜାର ବର୍ଷର ଇତିହାସ କୁ ନିଜ ବକ୍ଷରେ ସାଉଁଟି ରଖିଥିବା ଅଞ୍ଚଳ ବୌଦ୍ଧ ଜିଲ୍ଲା । ଶୈବ ,ଶାକ୍ତ, ବୌଦ୍ଧ, ବୈଷ୍ଣବ ଓ ସୌର୍ଯ୍ୟ ଭଳି ପଞ୍ଚ ଧର୍ମର ମିଳନ ସ୍ଥଳୀ ବୌଦ୍ଧ ଜିଲ୍ଲାର ଗନ୍ଧରାଡି । ଏହି ଗନ୍ଧରାଡିର ହରିହର ମନ୍ଦିର କାନ୍ଥରେ ଖୋଦିତ ପ୍ରତିଟି ଚିତ୍ରକଳା ଅତୀତ ଇତିହାସ କୁ ବର୍ଣ୍ଣନା କରିଥାଏ । ଇତିହାସ ପୃଷ୍ଠାରେ ଏହି ସ୍ଥାନ କେତେବେଳେ ଗନ୍ଧର୍ବ ନଗର ତ ପୁଣି କେତେବେଳେ ଗନ୍ଧବତୀ ପାଟଣା ଭାବରେ ଖ୍ୟାତି ଲାଭ କରି ଭୌମକର, କେଶରୀ, ଭଞ୍ଜ ବଂଶ ଓ ବ୍ରାହ୍ମଣ ବଂଶର ଶାସକଙ୍କ ଦ୍ବାରା ଶାସିତ ହୋଇ ଆସିଥିଲା । ଗନ୍ଧରାଡିର ହରିହର ପୀଠ କେବଳ ଜିଲ୍ଲା କିମ୍ବା ରାଜ୍ୟର ନୁହେଁ ସାରା ବିଶ୍ୱ ରେ ଏକ ବିରଳ ଐତିହ୍ୟ ସ୍ମାରକୀ । ଗୋଟିଏ ମଣ୍ଡପ ଉପରେ ନୀଳକଣ୍ଠ ସିଦ୍ଧେଶ୍ବର ମହାଦେବ ଓ ନୀଳମାଧବ ବିଷ୍ଣୁ ଙ୍କ ଯୁଗ୍ମ ମନ୍ଦିର ଅନନ୍ୟ କୀର୍ତ୍ତି ।
ମନ୍ଦିରରେ ମୁଖ୍ୟ ଦେବତାଙ୍କ ସହିତ ନାଗ,କିନ୍ନର, ରୁଦ୍ର ଭୈରବ,ଦଶାବତାର ଓ ସୂର୍ଯ୍ୟ ଦେବ ଙ୍କ ପ୍ରାଚୀନ ଉପାସନା ପୀଠ ରହିଛି । ଏଠାରେ ଚାରି ଗୋଟି ଶୈବପୀଠ ଥିବାରୁ ଏହାମଧ୍ୟ ଚାରିଶମ୍ଭୁ ଭାବରେ ବେଶ ପରିଚିତ । ହରିହର ଙ୍କ ଏହି ପବିତ୍ର ପୀଠରୁ ହିଁ ଦଣ୍ଡ ଯାତ୍ରାର ଉନ୍ମେଷ ଘଟିଥିବା ସୂଚନା ମିଳେ ।ସମୟ ଚକ୍ର ରେ ଏହି ବିଶ୍ୱ ପ୍ରସିଦ୍ଧ ହରିହର ମନ୍ଦିର ଅବହେଳିତ ହୋଇ ପଡିଥିଲା । କିନ୍ତୁ ରୁଦ୍ର ମହାଦେବ ଓ ବିଷ୍ଣୁଙ୍କ ଐତିହ୍ୟ ତଥା ପୂଜା ପରମ୍ପରାକୁ ଯୁଗେ ଯୁଗେ ପ୍ରାଧାନ୍ୟ ଦିଆଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ଉନ୍ନତି କଳ୍ପେ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି ।କିନ୍ତୁ ତାହା ଯଥେଷ୍ଟ ହୋଇ ପାରିନାହିଁ ।