ବୌଦ୍ଧ:ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନାହାନ୍ତି ଆବଶ୍ୟକ ସଂଖ୍ୟକ କର୍ମଚାରୀ । ଜିଲ୍ଲାର ସରକାରୀ କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧାକୁ ନେଇ ଜିଲ୍ଲା ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଅବଗତ କରାଯିବା ସହିତ 4200 ଗ୍ରେଡ୍ ପେ' ନେଇ ସରକାର ସମାଧାନ ନକଲେ ସାରା ରାଜ୍ୟର ସରକାରୀ କର୍ମଚାରୀ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଏନେଇ ଆଜି ଜିଲ୍ଲା ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ବିଭିନ୍ନ ଅଭାବ ଅସୁବିଧା ନେଇ ଆଲୋଚନା ହୋଇଛି ।
ସରକାରୀ କାର୍ଯ୍ୟାଳୟରେ ଆବଶ୍ୟକ ମୁତାବକ କର୍ମଚାରୀ ନଥିବାରୁ ଦିନକୁ ଦିନ କର୍ମଚାରୀଙ୍କ ଉପରେ କାର୍ଯ୍ୟଭାର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଜିଲ୍ଲାର ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ସେପଟେ ସାରା ରାଜ୍ୟରେ 4200 ଗ୍ରେଡପେ' ପାଇଁ ଚାଲିଥିବା ଆନ୍ଦୋଳନ ଆସନ୍ତା 1 ତାରିଖରେ ରୂପ ବଦଳାଇ ସମସ୍ତ ସରକାରୀ କର୍ମଚାରୀ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଘୋର ଅଭାବ ପରିଲକ୍ଷିତ ହୋଇଛି ।
ଅନ୍ୟପଟେ ସରକାର କର୍ମଚାରୀଙ୍କ ସିଧାସଳଖ ନିଯୁକ୍ତି ନକରି ଆଉଟ ସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦେଉଥିବାରୁ ବିଭିନ୍ନ ସମୟରେ ସରକାରୀ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇ ଆସୁଛି । ଏ ସମ୍ପର୍କରେ ରବିବାର ବୌଦ୍ଧ ଜିଲ୍ଲା ଏନଜିଓ ସିସି ପକ୍ଷରୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଅବଗତ କରାଯାଇଛି । ଆଜି ଜିଲ୍ଲା ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ମନ୍ତ୍ରୀ ଅମାତଙ୍କ ସହିତ ନଗରପାଳ ମୃତୁଞ୍ଜୟ ମିଶ୍ର, ସମିତିର ଅଧ୍ୟକ୍ଷ ଦିଲ୍ଲୀପ ବିଶି ଓ ସଂପାଦକ ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧା ନେଇ ଆଲୋଚନା କରିଥିଲେ ।
ଏହା ବି ପଢନ୍ତୁ- ଆସନ୍ତାକାଲିଠାରୁ +2 ନାମଲେଖା ପାଇଁ ଆବେଦନ, ଜୁନ ୨୮ରେ ପ୍ରଥମ ମେରିଟ୍ ଲିଷ୍ଟ