ବୌଦ୍ଧ : କୋରୋନା ମାଡରେ ଘାଇଲା ଟେଣ୍ଟ ହାଉସ ବ୍ୟବସାୟ । ଏହି ବ୍ୟବସାୟରେ ଜଡ଼ିତ ମାଲିକ ଓ ଶ୍ରମିକ ଗଭୀର ପ୍ରଭାବିତ ହୋଇଥିବାବେଳେ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଦାବି କରିଛନ୍ତି ।
କୋରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ସମଗ୍ର ମାନବ ଜାତି ପ୍ରଭାବିତ ହୋଇଥିବାବେଳେ ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ବିବାହ, ବ୍ରତ,ଶୁଦ୍ଧ, ଅଶୁଦ୍ଧ, ସଭାସମିତି ସବୁକିଛି ଉପରେ ଅଙ୍କୁଶ ଲାଗି ଥିବାରୁ ଟେଣ୍ଟ ହାଉସ ବ୍ୟବସାୟ ସମ୍ପୂର୍ଣ୍ଣ ଠପ ହୋଇପଡିଛି । ଅନେକେ ନିଜ ବୃତ୍ତିକୁ ମଧ୍ୟ ପରିବର୍ତ୍ତନ କରିସାରିଲେଣି । ଟେଣ୍ଟ ହାଉସ ବ୍ୟବସାୟ ସହ ଜଡ଼ିତ ବୌଦ୍ଧ ଜିଲ୍ଲାର ଶହ ଶହ ମାଲିକ ଓ ଶ୍ରମିକଙ୍କ ପରିବାର ବର୍ତ୍ତମାନ ଅତ୍ୟନ୍ତ ଦୁର୍ଦ୍ଦିନରେ ଅଛନ୍ତି । ଏଭଳି ସମସ୍ୟା କେବଳ ଜିଲ୍ଲାରେ ନୁହେଁ, ସମଗ୍ର ରାଜ୍ୟରେ ଏଭଳି ସମାନ ଅବସ୍ଥା । ଏଣୁ ଏଭଳି ପରିସ୍ଥିତିର ମୁକାବିଲା ତଥା ପରବର୍ତ୍ତୀ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ ପାଇଁ ଆଜି ବୌଦ୍ଧ ଟାଉନ ହଲରେ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଦସ୍ୟଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।