ପ୍ରତିଷ୍ଠା ଦିବସ ଉତ୍ସବରେ ଉଠିଲା ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରସଙ୍ଗ ବୌଦ୍ଧ:ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ 45 ବର୍ଷରେ ପାଦ ଥାପିଛି । ହେଲେ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଘେରରେ ରହିଥିବା ମହାବିଦ୍ୟାଳୟ ବିଶେଷ ଭାବରେ ସରକାରୀ ମାନ୍ୟତା ପାଇବା ନେଇ ସଭା ମଞ୍ଚ ଉପରେ ମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ କଲେ ଛାତ୍ର ପ୍ରତିନିଧି । ଜିଲ୍ଲାରେ ଉଚ୍ଚ ଶିକ୍ଷାନୁଷ୍ଠାନର ସରକାରୀ ମାନ୍ୟତା ପ୍ରସଙ୍ଗ ବର୍ଷ ବର୍ଷ ଧରି ପ୍ରଶ୍ନବାଚୀ ହୋଇ ରହିଛି ।
ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ 45 ବର୍ଷରେ ପାଦ ଦେଇଥିବା ବେଳେ କଲେଜକୁ ସରକାରୀ ମାନ୍ୟତା ପ୍ରସଙ୍ଗକୁ ନେଇ ମଞ୍ଚ ଉପରେ ମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ କଲେ ଛାତ୍ର ପ୍ରତିନିଧି । ବହୁବିଧ ସମସ୍ୟା ଘେରରେ ଥିବା ପଞ୍ଚାୟତ ମହାବିଦ୍ୟାଳୟର ସମସ୍ୟା କେବେ ସୁଧୁରିବ ବୋଲି ଛାତ୍ର ଜଣକ ପ୍ରଶ୍ନ କରିବା ପରେ ଉତ୍ସବରେ ଏକ ପ୍ରକାର ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ମଧ୍ୟରେ ସର୍ବପୁରାତନ ମହାବିଦ୍ୟାଳୟ ହେଲା ବୌଦ୍ଧ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟ । ଯାହାକି 1978 ମସିହାରେ ପ୍ରତିଷ୍ଠା କରାଯାଇଥିବା ବେଳେ । ତାହା 45 ବର୍ଷରେ ପାଦ ଦେଇଛି । ଏଥିପାଇଁ ମହାବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କଲେଜର ବାର୍ଷିକ ଉତ୍ସବ ପାଇଁ ରାଜ୍ୟ ପଞ୍ଚାୟତିରାଜ, ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଅନେକ କୃତି ଛାତ୍ରଛାତ୍ରୀ, ରାଜ୍ୟ ତଥା ଜାତୀୟ ସ୍ତରରେ ଅଂଶଗ୍ରହଣ କରି କଲେଜ ପାଇଁ ଗୌରବ ଆଣିଥିବା ପ୍ରତିଭାଙ୍କ ସମେତ ଅନେକ ପୂର୍ବତନ କଲେଜ ପରିଚାଳନା କମିଟିର ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା ।
ତେବେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମଞ୍ଚରେ ଜଣେ ଛାତ୍ରଛାତ୍ରୀଙ୍କ ପ୍ରତିନିଧିଙ୍କୁ କଲେଜ ସମ୍ପର୍କରେ ବକ୍ତବ୍ୟ ପାଇଁ ଅନୁମତି ଦିଆଯାଇଥିଲା । ସେଠାରେ ମଞ୍ଚ ଉପରେ ଛାତ୍ର ଜଣକ ସିଧାସଳଖ କଲେଜର ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରୁନଥିବା ତଥା ବିଶେଷ ଭାବରେ ଜିଲ୍ଲାର ଏହି ସର୍ବପୁରାତନ କଲେଜକୁ କାହିଁକି ସରକାରୀ ମାନ୍ୟତା ମିଳିପାରୁ ନାହିଁ ବୋଲି ମଞ୍ଚାସୀନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଛାତ୍ରଙ୍କ ବକ୍ତବ୍ୟ କୁନେଇ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାର ଉତ୍ତର ରଖିଥିଲେ । ଉତ୍ତରରେ ମନ୍ତ୍ରୀ କହିଥିଲେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କଲେଜଗୁଡିକୁ ସରକାରୀ ପାଇଁ ନିଷ୍ପତ୍ତି ଗ୍ରହଣ କରିବେ ସେତେବେଳେ ବୌଦ୍ଧ ପଞ୍ଚାୟତ କଲେଜ ମଧ୍ୟ ସରକାରୀ ମାନ୍ୟତା ପାଇପାରିବ ।
ଜିଲ୍ଲାର ତିନୋଟି ବ୍ଲକରେ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ମଧ୍ୟ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ନଥିବା ବେଳେ କେବଳ ବାମଣ୍ଡା ନିକଟରେ କେନ୍ଦ୍ର ସରକାରଙ୍କ ଗୋଟିଏ ମଡେଲ ଡିଗ୍ରୀ କଲେଜ ସ୍ଥାପନ ହୋଇ ପାରିଛି । ଏଭଳି ସ୍ଥିତିରେ 45 ବର୍ଷର ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ବର୍ତ୍ତମାନ ପ୍ରାୟ ସତର ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୀର୍ଘ ବର୍ଷ ହେଲା କଲେଜକୁ ସରକାରୀ ମାନ୍ୟତା ପାଇଁ ଦାବି ହୋଇ ଆସୁଛି । କଲେଜ ବାର୍ଷିକ ଉତ୍ସବରେ ସରକାରୀ ମାନ୍ୟତା ପ୍ରସଙ୍ଗ ମଞ୍ଚ ଉପରେ ଆଲୋଚନା ହୋଇଥିବା ବେଳେ ଏହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ଇଟିଭି ଭାରତ, ବୌଦ୍ଧ