ଓଡିଶା

odisha

By ETV Bharat Odisha Team

Published : Sep 11, 2023, 4:46 PM IST

Updated : Sep 11, 2023, 9:31 PM IST

ETV Bharat / state

ଦୁର୍ଦ୍ଦିନରେ ବନ ଶହୀଦଙ୍କ ପରିବାର: ମାନ୍ୟତା ପରେ ବି ମିଳୁନି ସହାୟତା, ୫୦୦ଟଙ୍କାରେ ବିତୁଛି ଦିନ

ଦୁର୍ଦ୍ଦିନରେ ବୌଦ୍ଧ ଜିଲ୍ଲାର ବନ ଶହୀଦ ସରୋଜ ଜେନାଙ୍କ ପିତାମାତା । ଗୋଟିଏ ମାତ୍ର ପୁଅର ମୃତ୍ୟୁ ପରେ ଦୁର୍ଦ୍ଦିନରେ ପରିବାର । ୫୦୦ ଟଙ୍କାରେ ବିତୁଛି ଦିନ । ଅଧିକ ପଢନ୍ତୁ

Boudh Martyred Saroj Jena family seeks govt assistance
Boudh Martyred Saroj Jena family seeks govt assistance

ଦୁର୍ଦ୍ଦିନରେ ବନ ଶହୀଦଙ୍କ ପରିବାର: ମାନ୍ୟତା ପରେ ବି ମିଳୁନି ସହାୟତା, ୫୦୦ଟଙ୍କାରେ ବିତୁଛି ଦିନ

ବୌଦ୍ଧ: ଦୁର୍ଦ୍ଦିନରେ ବନ ଶହୀଦଙ୍କ ପରିବାର । ଶହୀଦର ମାନ୍ୟତା ଜଙ୍ଗଲ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲେ ମଧ୍ୟ ତାଙ୍କ ପରିବାରକୁ କୌଣସି ପ୍ରକାରର ଆର୍ଥିକ ସହାୟତା ମିଳିପାରି ନାହିଁ । ଫଳରେ ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ବୃଦ୍ଧ ଅବସ୍ଥାରେ କାଳ କାଟୁଛନ୍ତି ଶହୀଦଙ୍କ ପିତାମାତା । ବନ ବିଭାଗ ଆଜି ବନ ଶହୀଦ ଦିବସ ପାଳିଥିବା ବେଳେ ଏହି ଶହୀଦ ପରିବାରକୁ ସହାୟତା ଲାଗି ଉଠିଛି ଦାବି ।

ଜିଲ୍ଲାର ଏକମାତ୍ର ବନ ଶହୀଦ ଭାବରେ ମାନ୍ୟତା ପାଇଥିବା ଫରେଷ୍ଟ ଗାର୍ଡଙ୍କ ତିରୋଧାନକୁ ୧୫ ବର୍ଷ ବିତିଗଲାଣି । କିନ୍ତୁ ଜିଲ୍ଲାର ଏହି ଏକମାତ୍ର ବନ ଶହୀଦଙ୍କ ପରିବାର ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି । ନିଜ ଏକମାତ୍ର ସନ୍ତାନ ଡ୍ୟୁଟି ସମୟରେ ଦୁର୍ବୃତ୍ତଙ୍କ ଦ୍ଵାରା ନିହତ ହୋଇଥିବା ବେଳେ ଉଭୟ ବୃଦ୍ଧ ପିତାମାତାଙ୍କ ଆଖିରୁ ଲୁହ ଶୁଖିବାର ନା ଧରୁନି । ଆଜି ଜିଲ୍ଲାର ବନ ବିଭାଗ ପକ୍ଷରୁ ପାଳନ କରାଯାଇଛି ଶହୀଦ ଦିବସ । ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ବନଖଣ୍ଡର ୫ଟି ବନାଞ୍ଚଳରେ ଥିବା ବ୍ୟାପକ ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀଙ୍କ ଉପରେ ମାଫିଆ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଦୀର୍ଘ ବର୍ଷ ହେଲା ରହି ଆସିଛି ।

ଏହା ବି ପଢନ୍ତୁ- ଶହୀଦ ପରିବାରଙ୍କୁ 25 ଲକ୍ଷ ଟଙ୍କାର ଚେକ ପ୍ରଦାନ

ତେବେ ଏହି ଜଙ୍ଗଲ ସମ୍ପଦର ସୁରକ୍ଷାରେ ନିୟୋଜିତ ବନ କର୍ମଚାରୀମାନେ ପ୍ରତ୍ୟେକ ଦିନ ମାଫିଆ ଓ ଲୁଟେରାଙ୍କ ଟାର୍ଗେଟରେ ରହୁଛନ୍ତି । ଆଉ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେଉଛନ୍ତି । ଖଣ୍ଡିଏ ଲାଠି ଭରସାରେ ବିସ୍ତିର୍ଣ୍ଣ ଜଙ୍ଗଲ ସମ୍ପଦକୁ ସୁରକ୍ଷା ଦେଉଛନ୍ତି ବନ ବିଭାଗର କର୍ମଚାରୀ ।

କେମିତି ଥିଲା ସେଦିନ ? :- ବୌଦ୍ଧ ଜିଲ୍ଲାର ଜଣେ ଫରେଷ୍ଟ ଗାର୍ଡ ନିଜ ଦାୟିତ୍ବ ସମ୍ପାଦନ ତଥା କାଠ ମାଫିଆଙ୍କ କବଳରୁ ଜଙ୍ଗଲ ସମ୍ପଦ ସୁରକ୍ଷା ପାଇଁ ଘରୁ ଗୋଡ଼ କାଢିଥିଲେ । କିନ୍ତୁ ଘରକୁ ଆସୁ ଜୀବନ୍ତ ନଫେରି ତାଙ୍କ ମୃତ ଶରୀର ଘରେ ପହଞ୍ଚିଥିଲା । ଘଟଣା ଗତ ପ୍ରାୟ ୧୫ ବର୍ଷ ତଳେ ୨୦୦୮ ମସିହାରେ ଘଟିଥିଲା । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ଗୁନ୍ଦୁଳିଆ ନିକଟସ୍ଥ ପୁତୁନା ରିଜର୍ଭ ଫରେଷ୍ଟରେ ଚୋରା କାଠ ଚାଲାଣ ହେଉଥିବା ଖବର ପାଇ ଫରେଷ୍ଟ ଗାର୍ଡ୍‌ ସରୋଜ ଜେନା ହଠାତ ଚଢାଉ କରି ମାଫିଆଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଠାରେ ମାଫିଆଙ୍କ ମାରଣାସ୍ତ୍ର ଚୋଟରେ ଟଳି ପଡ଼ିଥିଲେ ସରୋଜ ।

ସରୋଜ ଜେନା ବୌଦ୍ଧ ସହର ବାବୁସାହିର ଶରତ କୁମାର ଜେନା ଓ ବାସନ୍ତୀ ଜେନାଙ୍କ ଏକମାତ୍ର ସନ୍ତାନ । ବହୁ ପୂଜାର୍ଚ୍ଚନା ତଥା ମନ୍ଦିରରେ ଆରାଧନା କରି ଏକମାତ୍ର ସନ୍ତାନ ସରୋଜକୁ ପାଇଥିଲେ । କିନ୍ତୁ ବିଧିର ବିଧାନ ଅଲଗା ଥିଲା । ଗତ ବର୍ଷ ତାଙ୍କ ମୃତ୍ୟୁର ୧୪ ବର୍ଷ ପରେ ତାଙ୍କ ପରିବାରକୁ ଶହୀଦ ପରିବାର ଭାବରେ ସମ୍ମାନିତ କରାଯିବା ସହିତ ବାମଣ୍ଡା ନର୍ସରୀ ପରିସରରେ ବନ ଶହୀଦଙ୍କ ସ୍ମୃତିରେ ଏକ ସ୍ମୃତି ସ୍ତମ୍ଭ ପ୍ରତିଷ୍ଠା କରାଯାଇଥିଲା । ତେବେ ଅତ୍ୟନ୍ତ ଦୁଃଖର କଥା ସହିଦ ସରୋଜଙ୍କ ବୃଦ୍ଧ ପିତାମାତାଙ୍କ ନିକଟରେ କୌଣସି ସରକାରୀ ସହାୟତା ପହଞ୍ଚି ପାରିନାହିଁ । ଫଳରେ ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସରୋଜଙ୍କ ପରିବାର ଚଳୁଛନ୍ତି ।

ଏ ନେଇ ଶହୀଦ ସରୋଜଙ୍କ ମାଆ ବାସନ୍ତୀ ଜେନା କହିଛନ୍ତି, " ୨୦୦୮ ମସିହାରେ ମୋ ପୁଅକୁ ମାରିଦେଲେ । ଏହାପରେ ଆମ ଜୀବନ ଦୁର୍ବିସହ ହୋଇଯାଇଛି । ମୋ ସ୍ବାମୀ ପୂର୍ବରୁ ମୁଲ ଲାଗି ଘର ଚଳାଉଥିଲେ । ହେଲେ ଏବେ ତାଙ୍କ କାନକୁ ଶୁଭୁନଥିବାରୁ ତାଙ୍କୁ କାମରୁ ବିଦା କରିଦେଲେ । ଏବେ ସେ ଡାଇବେଟିସ ରୋଗରେ ମଧ୍ୟ ପୀଡ଼ିତ । ଏଯାବତ ଆମ ନିକଟରେ ସରକାରଙ୍କ ଦୃଷ୍ଟି ପଡିନି । "

ସରୋଜ ଶହୀଦ ହେବା ପରେ ତାଙ୍କ ବୃଦ୍ଧ ପିତା ପରଘରେ ମୂଲକରି ପରିବାରକୁ ଚଳୁଥିଲେ । କିନ୍ତୁ ବୟସାଧିକ ତଥା ତାଙ୍କ ଶରୀର ଅସୁସ୍ଥତା କାରଣରୁ ଉକ୍ତ କାର୍ଯ୍ୟରୁ ସେ ଅନ୍ତର ହୋଇ ଘରେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ନିଜ ପତ୍ନୀଙ୍କ ସହ ରହୁଛନ୍ତି । ଉକ୍ତ ବନ ଶହୀଦଙ୍କ ପରିବାରର ଏକମାତ୍ର ଭରସା ୫୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା । ଦୀର୍ଘ ୧୫ ବର୍ଷ ହେଲା ଦୁଇ ଅସହାୟ ଦମ୍ପତି ଆଖିରୁ ଲୁହ ଝରାଇ ବଞ୍ଚିଛନ୍ତି । ଆଜି ବୌଦ୍ଧ ବନଖଣ୍ଡ ପକ୍ଷରୁ ୧୯ ତମ ଜାତୀୟ ବନ ଶହୀଦ ଦିବସ ପାଳନ କରାଯାଇଛି ।

ସ୍ବର୍ଗତ ସରୋଜଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ଓ ଶହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସରୋଜଙ୍କ ସ୍ମୃତି ଚାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ରୂପେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କିନ୍ତୁ ଶହୀଦ ସରୋଜଙ୍କ ପରିବାରକୁ ସହକାରୀ ସହାୟତା ମିଳିପାରି ନଥିବାରୁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଏନେଇ ବନଖଣ୍ଡ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଦେବେ ବୋଲି ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Sep 11, 2023, 9:31 PM IST

ABOUT THE AUTHOR

...view details