ବୌଦ୍ଧ:ଝିଅ ପାଠ ପଢିବ ବଡ ମଣିଷ ହେବ । ଚାକିରି କଲେ ମୋ ଦୁଃଖ ଦୂର ହେବ। କିନ୍ତୁ ଝିଅକୁ ପାଠ ପଢାଇବା ପାଇଁ ପାଖରେ ନଥିଲା ଟଙ୍କା । ଶେଷରେ ବାହାର ରାଜ୍ୟକୁ ଯାଇ ସାଜିଲେ ଦାଦନ। କିନ୍ତୁ ଟଙ୍କା ଉପର୍ଜାନ ପାଇଁ ବାହାର ରାଜ୍ୟକୁ ଦାଦନ ଘଟିବାକୁ ଯାଇଥିବା ବୌଦ୍ଧ ଜିଲ୍ଲା କୁରୁକୁପା ଗ୍ରାମର କ୍ଷେତ୍ର ମୋହନ ଝାଙ୍କର ଏବେ ନିଖୋଜ ହୋଇୟାଇଛନ୍ତି । ଏପଟେ ଚାରି ଝିଅ ଓ ଗୋଟିଏ ପୁଅକୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି ସ୍ତ୍ରୀ କୌଶଲ୍ୟା । ଏପରି ଦୁଃଖଦ କାହାଣୀ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ନଜରକୁ ଆସିଥିଲା ।
ସୂଚନା ମୁତାବକ କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତ ଅନ୍ତର୍ଗତ କୁରୁକୁପା ଗ୍ରାମର ଅଧିବାସୀ କ୍ଷେତ୍ର ମୋହନ ଝାଙ୍କର । କ୍ଷେତ୍ରଙ୍କ ଚାରି ଝିଅ ଓ ଗୋଟିଏ ପୁଅ ଥିବା ବେଳେ ବଡ଼ ଝିଅ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଛନ୍ତି । ତେଣୁ ମେଧାବୀ ଝିଅର ଉଚ୍ଚ ଶିକ୍ଷା ପାଇଁ ଅର୍ଥର ଆବଶ୍ୟକତାକୁ ଉପଲବ୍ଧି କରି କ୍ଷେତ୍ର ବାହାର ରାଜ୍ୟକୁ ଯିବାକୁ ମନସ୍ଥ କଲେ । ଶେଷରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ସେ ତାମିଲନାଡୁକୁ ଦାଦନ ଖଟିବାକୁ ଚାଲିଗଲେ । ବର୍ତ୍ତମାନ ଆଉ କ୍ଷେତ୍ରଙ୍କ କୌଣସି ପତ୍ତା ମିଳୁନାହିଁ । ପରିବାରର ଏକମାତ୍ର ରୋଜଗାରକ୍ଷମ କ୍ଷେତ୍ର କେଉଁ ଆଡେ ନିଖୋଜ ହୋଇଯିବା ପରେ ବର୍ତ୍ତମାନ ପତ୍ନୀ କୌଶଲ୍ୟା ପାଞ୍ଚଟି ପୁଅଝିଅ କୁନେଇ ଅତ୍ୟନ୍ତ ଅସହାୟ ହୋଇ ପଡିଛନ୍ତି । ପରିବାର ପ୍ରତିପୋଷଣ କେମିତି କରିବେ ସେନେଇ ଚିନ୍ତାରେ କୌଶଲ୍ୟା। ଖୁଣ୍ଟିଗୋରାରେ ହେଉଥିବା ବୌଦ୍ଧ ଜିଲ୍ଲାପାଳ ଙ୍କ ଜନଶୁଣାଣୀରେ ନିଜ ପିଲାମାନଙ୍କୁ ସାଙ୍ଗରେ ନେଇ ପହଞ୍ଚିବା ପରେ ନିଦ ଦୁଃଖର କାହାଣୀ କହିଥିଲେ କୌଶଲ୍ୟା ।