ବୌଦ୍ଧ: ବହୁ ଚର୍ଚ୍ଚିତ ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ଦିନ ଗଡିବା ସହ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେରର ଗୋଟିଏ ଗୋଟିଏ କଳାକାରନାମା ପଦାକୁ ଆସିବାରେ ଲାଗିଛି । ତେବେ ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ମନ୍ତ୍ରୀଙ୍କ ଇସ୍ତଫା ଦାବି ପାଇଁ ଅଡି ବସିଛନ୍ତି ବିରୋଧିଙ୍କ ସହ ବିଭିନ୍ନ ସଂଗଠନ । ତେବେ ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ କରି ଏହି ଅମାନବୀୟ ଘଟଣାର ସିବିଆଇ ତଦନ୍ତ ପାଇଁ ବୌଦ୍ଧ ଜିଲ୍ଲା ମହିଳା କଂଗ୍ରେସ ଦାବି କରିଛି ।
ଏନେଇ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ତୁରନ୍ତ ଗୃହମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି । ସେହିପରି ପୁରୁଣାକଟକ ଠାରେ ନାରୀ ସ୍ବାଭିମାନ ମଞ୍ଚ ପକ୍ଷରୁ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ଅଞ୍ଚଳର ଶହ ଶହ ସଂଖ୍ୟାରେ ମହିଳା ଦେବୀ ଭୈରବୀଙ୍କ ପୀଠରେ ପହଞ୍ଚି ସ୍ବର୍ଗତ ମମିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଏଭଳି ବର୍ବର କାଣ୍ଡ ଭିଆଇଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।