ବୌଦ୍ଧ:ଦୀର୍ଘ ବର୍ଷର ଦାବି ପୂରଣ ହେବାକୁ ଯାଉଛି । ଚାଷୀଙ୍କ ମୁହଁରେ ହସ ଫୁଟିବ । ଦୂର ହେବ ସେମାନଙ୍କ ଚାଷ ସମସ୍ୟା । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଦୀର୍ଘ ଦିନ ଧରି ପ୍ରସ୍ତାବିତ ଥିବା ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ । ଝାଣ୍ଟିଝରଣ ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଖବର ପ୍ରକାଶ ପାଇବା ପରେ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଝାଣ୍ଟିଝରଣ ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ବର୍ତ୍ତମାନ ଦୁଇଟି ପଞ୍ଚାୟତର 250 ଏକରରୁ ଉର୍ଦ୍ଧ୍ବ ଜମି ଜଳସେଚନ ହୋଇପାରିବ । କୃଷି ଭିତ୍ତିକ ଜିଲ୍ଲାର ବିଭିନ୍ନ ଜଳ ଉତ୍ସରେ ପର୍ଯ୍ୟାପ୍ତ ସଂଖ୍ୟାରେ ଚେକ ଡ୍ୟାମ ନଥିବାରୁ ଜଳସେଚନ ପାଇଁ ଅଞ୍ଚଳର ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଜିଲ୍ଲାରେ ଦୁଇ ଦୁଇଟି ସେଚ ପ୍ରକଳ୍ପ ରହିଥିବା ବେଳେ ଅନେକ ସ୍ଥାନରେ ଚେକ ଡ୍ୟାମ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ତେବେ ଦୀର୍ଘ କୋଡିଏ ବର୍ଷରୁ ଅଧିକ ସମୟ ହେବ ଏକ ଚେକ ଡ୍ୟାମ ନିର୍ମାଣ ପାଇଁ ପ୍ରଚେଷ୍ଟା କରାଯାଉଥିଲେ ମଧ୍ୟ ଏହା ନିର୍ମାଣ ହୋଇ ପାରୁନଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।
କୃଷି ପ୍ରଧାନ ଜିଲ୍ଲା ବୌଦ୍ଧରେ ଅନେକ ଜଳସେଚନ ପ୍ରକଳ୍ପ ରହିଛି । ଅନେକ ପଞ୍ଚାୟତ ରହିଛି ଯେଉଁଠି ଜଳସେଚନ କାର୍ଯ୍ୟ ଆଦୌ ହୋଇପାରୁନାହିଁ । ଫଳରେ ଚାଷୀ କେବଳ ବର୍ଷା ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାଏ । ବୌଦ୍ଧ ଜିଲ୍ଲାରେ ବାଘ ସେଚ ପ୍ରକଳ୍ପ ଓ ସାଲୁଙ୍କୀ ସେଚ ପ୍ରକଳ୍ପ ମାଧ୍ୟମରେ ଅନେକ ଅଞ୍ଚଳକୁ ଜଳସେଚନ ହୋଇଥାଏ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପଞ୍ଚାୟତରେ ଜଳସେଚନର ଆଦୌ ବ୍ୟବସ୍ଥା ନାହିଁ । ତେଣୁ ବର୍ତ୍ତମାନ ଏଭଳି ଜଳ ଉତ୍ସ ସ୍ଥାନରେ କ୍ଷୁଦ୍ର ଜଳସେଚନ ବିଭାଗ ମାଧ୍ୟମରେ ଚେକ ଡ୍ୟାମ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି ।