ଓଡିଶା

odisha

ETV Bharat / state

କାର୍ଯ୍ୟାନୁଷ୍ଠାନ ପରେ ବି ଚେତୁ ନାହାନ୍ତି, ବର୍ଜ୍ୟ ପାହାଡରେ ପୋତି ହୋଇ ପଡୁଛି ନଦୀ - ପରିବେଶ ସୁରକ୍ଷା ପାଇଁ ସଚେତନ କାର୍ଯ୍ୟକ୍ରମ

ବର୍ଜ୍ୟ ସାମଗ୍ରୀରେ ଦିନକୁ ଦିନ ପୋତି ହୋଇ ପଡୁଛି ସାରା ଜିଲ୍ଲା । ପରିବେଶ ସୁରକ୍ଷା ପାଇଁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବର୍ଜ୍ୟ ପାହାଡରେ ପୋତି ହୋଇ ପଡୁଛି ନଦୀ
ବର୍ଜ୍ୟ ପାହାଡରେ ପୋତି ହୋଇ ପଡୁଛି ନଦୀ

By

Published : Jun 6, 2023, 7:17 AM IST

ବୌଦ୍ଧ: ପଲିଥିନ ଓ ନିଷେଧ ପ୍ଲାଷ୍ଟିକର ପାହାଡ ହେବାରେ ଲାଗିଛି ବୌଦ୍ଧ ଜିଲ୍ଲା । ବ୍ୟାପକ କାର୍ଯ୍ୟାନୁଷ୍ଠାନ ଓ କଠୋର ଆଇନ ସତ୍ତ୍ୱେ ଏଭଳି ସାମଗ୍ରୀର ବ୍ୟବହାର ବନ୍ଦ କରି ପାରୁନାହାଁନ୍ତି ସରକାର । ଫଳରେ ଏହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡିବା ସହିତ ଏହାର କୁପରିଣତି ପାଇଁ ପରିବେଶବିତ ଚେତାବନୀ ଦେଇଛନ୍ତି । ବିଶ୍ବ ପରିବେଶ ଦିବସ ଅବସରରେ ଲୋକଙ୍କ ମଧ୍ୟରେ ସଚେତନାତା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ପରିବେଶବିତ ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି, "ଦିନକୁ ଦିନ ପଲିଥିନ ଓ ନିଷେଧ ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପାଇଁ ଅତ୍ୟନ୍ତ ଭୟଙ୍କର ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲାରେ ଗତ 2017 ମସିହାଠାରୁ ଏଭଳି ବର୍ଜ୍ୟ ସାମଗ୍ରୀ ଉପରେ କଡ଼ାକଡ଼ି ରୋକ ଲଗାଯାଇଛି । ବିଭିନ୍ନ ସମୟରେ ପ୍ରଶାସନିକ ସ୍ତରରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।ଏହାଛଡା ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ବୌଦ୍ଧ ଗଡ ଏନଏସିରେ ଏଭଳି ପଲିଥିନ, ଥର୍ମାକୋଲ ସାମଗ୍ରୀ ଓ ନିଷେଧ ପ୍ଲାଷ୍ଟିକ, ଗ୍ଲାସକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ନିୟମିତ ବ୍ୟବଧାନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଜରିମାନା ଆଦାୟ ମଧ୍ୟ କରାଯାଉଛି । କିନ୍ତୁ ଅନେକ ସମୟରେ ଏଭଳି ନିଷେଧ ବର୍ଜ୍ୟ ସାମଗ୍ରୀର ବହୁଳ ବ୍ୟବହାର ଯୋଗୁଁ ଏହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡୁଛି ।"

ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ କହିଛନ୍ତି,"ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଓ ବେଳେ କାଠ ମାଫିଆଙ୍କ ଯୋଗୁଁ ସବୁଜିମା ଭରା ଜଙ୍ଗଲ ଉପରେ ଏହାର ପ୍ରଭାବ ପଡୁଛି । ଚଳିତ ବର୍ଷର ଆକଳନ ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଜଙ୍ଗଲ ସମ୍ପଦ ବୃଦ୍ଧି ହୋଇଥିବା ଏକ ଆଶ୍ବସ୍ତିକର ଖବର । କିନ୍ତୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଷ୍ଟୋନ କ୍ରସର ଓ ଦ୍ରୃତ ଶିଳ୍ପାୟନ ଯୋଗୁଁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ତେଲନଦୀ, ସାଲୁଙ୍କୀ, ବାଘନଦୀ ଧୀରେଧୀରେ ବର୍ଜ୍ୟବସ୍ତୁ ଦ୍ବାରା ପୋତି ହୋଇ ପଡିବା ସହିତ ପ୍ରଦୂଷିତ ହେବାରେ ଲାଗିଛି ।"

ଏହସହ ସେ କହିଛନ୍ତି, "ବୌଦ୍ଧ ଜିଲ୍ଲାରେ ଥିବା ପାଞ୍ଚଟି ବନାଞ୍ଚଳରେ ଆବଶ୍ୟକ ମୁତାବକ ଜଙ୍ଗଲ କର୍ମଚାରୀ ଅଭାବରୁ ଦିନକୁ ଦିନ ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହିତ ପରିବେଶ ସନ୍ତୁଳନ କରୁଥିବା ଜଙ୍ଗଲ ବର୍ତ୍ତମାନ ବିପଦରେ ରହିଛି । ଜଙ୍ଗଲ ଅବକ୍ଷୟ ଯୋଗୁଁ ଉଭୟ ପରିବେଶ ଓ ବନ୍ୟପ୍ରାଣୀଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡୁଛି । ଅନେକ ସମୟରେ ବନାଗ୍ନି ଯୋଗୁଁ ମଧ୍ୟ ଜଙ୍ଗଲ ସମ୍ପଦ ନଷ୍ଟ ହୋଇ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଛି ।"

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details