ବୌଦ୍ଧ:ଅସହାୟ ଗରିବ ଦମ୍ପତିଙ୍କୁ ସହାୟତାର ହାତ ବଢାଇଛି ଜିଲ୍ଲା ପ୍ରଶାସନ । ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ଏହି ଦମ୍ପତି ଅସୁସ୍ଥ । ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି । ଦମ୍ପତିଙ୍କ ଦୁଃଖ ଭରା ଜୀବନ କାହାଣୀ ସମ୍ମୁଖକୁ ଆସିଲେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସରକାରୀ ଯୋଜନା ମୁତାବକ ସହାୟତା ଯୋଗାଇ ଦିଆଯାଉଛି ।
ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଆମ୍ବଝରୀ ପଞ୍ଚାୟତ । ଜିଲ୍ଲାର ଅନ୍ୟତମ ପଛୁଆ ପଞ୍ଚାୟତ ଭାବରେ ପରିଚିତ ଏହି ଆମ୍ବଝରୀ ପଞ୍ଚାୟତର ଏଭଳି ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି ସରକାରଙ୍କ ବିକାଶ ମୂଳକ ଯୋଜନା ଠିକରେ ପହଞ୍ଚି ପାରିନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏଠାରେ ବସବାସ କରୁଥିବା କନ୍ଧ ସଂପ୍ରଦାୟର ଅଧିବାସୀ ଆଦିବାସୀ ତାଲିକାରୁ ବାଦ ପଡିଥିବାରୁ ଏମାନେ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି । ଏହାଛଡା ଅନେକ ସ୍ଥାନରେ ପାନୀୟଜଳ, ରାସନ ଓ ସାମାଜିକ ସୁରକ୍ଷା ଯୋଜନା ରେ ମଧ୍ୟ ବ୍ୟାପକ ସମସ୍ୟା ରହି ଆସିଛି । ଏଭଳି ଏକ ଦୁଃଖଦ ଘଟଣା ବର୍ତ୍ତମାନ ସମ୍ମୁଖକୁ ଆସିଛି । ଆମ୍ବଝରୀ ପଞ୍ଚାୟତ ସଦର ଗ୍ରାମରେ ଦୀର୍ଘ ଦିନ ହେଲା ଜଣେ ଦମ୍ପତି ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହିଆସୁଥିଲେ । ମାତ୍ର ଏମାନଙ୍କ ଜୀବନର କରୁଣ କାହାଣୀ ସାମ୍ନାକୁ ଆସିବା ପରେ ଅସହାୟ ଦମ୍ପତିଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯାଇଛି ।