ବୌଦ୍ଧ:ମହାନଦୀ କୂଳରେ ଅବସ୍ଥିତ ଉପାନ୍ତ ଗ୍ରାମରେ ଅବ୍ୟବସ୍ଥିତ ସରକାରୀ ଯୋଜନା । ପାନୀୟଜଳ ଠାରୁ ନେଇ ସ୍ବାସ୍ଥ୍ୟ ସେବା, ଅଙ୍ଗନବାଡି, ରାସ୍ତା ଘାଟ, ଶୌଚାଳୟ ଭଳି ମୌଳିକ ସୁବିଧା ଗ୍ରାମବାସୀଙ୍କ ପାଇଁ ହୋଇଥିଲା ଅପହଞ୍ଚ । ହେଲେ ବର୍ତ୍ତମାନ ସେଠାରେ ଜିଲ୍ଲା ପ୍ରଶାସନ ପହଞ୍ଚି ସହାୟତାର ହାତ ବଢାଇବା ସହିତ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଆରମ୍ଭ କରିଛି ଉଦ୍ୟମ ।
ମହାନଦୀ କୂଳରେ ଅବସ୍ଥିତ ପାହାଡ ମୁଣ୍ଡିଆ ଗ୍ରାମ ତଥା ଅତଳସରା ଗ୍ରାମ, ଏହି ଗାଁର ଦହି 5ଟି ଜିଲ୍ଲାରେ ବେଶ ପରିଚିତ । ହେଲେ ସେଭଳି ଗ୍ରାମରେ ପାନୀୟଜଳର ଉତ୍କଟ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଛି । ବୌଦ୍ଧ ଜିଲ୍ଲା କୁଶଙ୍ଗ ପଞ୍ଚାୟତର ସାତକୋଶିଆ ଅଭୟାରଣ୍ୟ ନିକଟରେ ରହିଛି ଏହି ଅତଳସରା ଗ୍ରାମ । ଗ୍ରାମରେ 3ଶହରୁ ଉର୍ଦ୍ଧ୍ବ ପରିବାର ରହିଥିବା ବେଳେ ଏଠାରେ ବର୍ଷ ତମାମ ଲାଗି ରହିଛି ପାନୀୟଜଳର ସମସ୍ୟା । ଏହାଛଡା ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ମଧ୍ୟ ଠିକରେ ହୋଇ ପାରୁନାହିଁ । ଅବହେଳିତ ଅବସ୍ଥାରେ ଥିବା ଏହି ଗ୍ରାମର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି ।
ତେବେ ଦହିକୁ ନେଇ 5 ଜିଲ୍ଲାରେ ପରିଚିତ ଥିବା ଅତଳସରା ଗ୍ରାମକୁ ଅଧିକ ପ୍ରଚାର ପ୍ରସାର କରି ସ୍ଥାନୀୟ ମହିଳା ଗୋଷ୍ଠୀକୁ ମିଶନ ଶକ୍ତି ଜରିଆରେ ଆର୍ଥିକ ସ୍ବାବଲମ୍ବୀ କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନ୍ତର୍ଗତ ଅତଳସରା ଗ୍ରାମର ବିକାଶ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି । ଗ୍ରାମର ବିଶେଷ ଅସୁବିଧା ଥିବା ପାନୀୟଜଳ, ଶୌଚାଳୟ, ଅଙ୍ଗନବାଡି ଭଳି କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ପାଇଁ ପ୍ରଥମେ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହ ଅତଳସରା ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିର ନୂତନ ପ୍ରକ୍ରିୟା ଆରମ୍ଭ ପାଇଁ ବୌଦ୍ଧ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହିତ ଗ୍ରାମରେ ମହିଳା ଗୋଷ୍ଠୀର ଆର୍ଥିକ ବିକାଶ ପାଇଁ ବସାଦହିକୁ ଅଧିକ ପ୍ରୋତ୍ସାହିତ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।