ବୌଦ୍ଧ: ଭୂତ କୋଠରୀରେ ପରିଣତ ହୋଇ ପଡିରହିଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ହେବ । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଏକ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ବିଏମସି ସ୍ଥାପନ ହେବ । ଅନ୍ୟପଟେ ମାଛଚାଷୀଙ୍କ ପାଇଁ ମଧ୍ୟ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଉଭୟ କ୍ଷେତ୍ରରେ ସରକାରୀ ଯୋଜନା ମାଧ୍ୟମରେ ହଜାର ହଜାର ପରିବାର ବର୍ତ୍ତମାନ ଆର୍ଥିକ ସ୍ତରରେ ବେଶ ସ୍ବାବଲମ୍ବୀ ହୋଇ ପାରିବେ ।
ମହାନଦୀ କୂଳରେ ଅବସ୍ଥିତ ଜିଲ୍ଲାରେ ରହିଛି ମାଛଚାଷ ଓ ଗୋପାଳନର ଏକ ବିରାଟ ସମ୍ଭାବନା । ସରକାରୀ ଯୋଜନାରେ ସାମିଲ ହୋଇ ହଜାର ହଜାର ହିତାଧିକାରୀ ବେଶ ଉପକୃତ ହୋଇ ପାରୁଛନ୍ତି । ତେଣୁ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀର୍ଘ ବର୍ଷରୁ ଅକାମୀ ହୋଇ ପଡିରହିଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ।
ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ହଜାର ହଜାର ହିତାଧିକାରୀ ଗୋପାଳନ ସହିତ ଦୁଗ୍ଧ ଚାଷ ମାଧ୍ୟମରେ ପରିବାର ପ୍ରତିପୋଷଣ କରିଥାନ୍ତି । ଜିଲ୍ଲାର ଲୁଣିବାହାଲ, ଖୁଣ୍ଟବନ୍ଧ, ମନମୁଣ୍ଡା, ଖୁଣ୍ଟିଗୋରା ଭଳି ସ୍ଥାନରେ ଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ସମବାୟ ଜରିଆରେ ଚାଷୀ ଦୁଗ୍ଧ ଉପଯୁକ୍ତ ଦରରେ ବିକ୍ରି କରିପାରୁଛି । ତେବେ ଜିଲ୍ଲାର ଚାରିଛକ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଏପରିକି ବିଶେଷକରି ବୌଦ୍ଧ ଜିଲ୍ଲା ସଦର ମହକୁମାର ଶୀତଳୀକରଣ କେନ୍ଦ୍ର ଦୀର୍ଘ ବର୍ଷ ହେଲା ବିଭିନ୍ନ କାରଣରୁ ଅଚଳ ହୋଇ ପଡିରହିଛି । ତେଣୁ ବର୍ତ୍ତମାନ ଜିଲ୍ଲାରେ ଦୁଗ୍ଧର ଚାହିଦାକୁ ଦୃଷ୍ଟିରେ ରଖି ଚାରିଛକ ସ୍ଥିତ ଏହି ଦୁଗ୍ଧ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ।