ବୌଦ୍ଧ:ଜିଲ୍ଲାରୁ ପୁଣି ଏସଟିଏଫ ଧରିଲା ଦୁଇ ଦୁଇଟି ବାଘଛାଲ । ତେବେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ବନ୍ୟଜନ୍ତୁ ଶୀକାର ସହିତ ଚୋରା କାଠ କାରବାର ଚାଲିଥିବାବେଳେ ଜଙ୍ଗଲ ବିଭାଗର ଭୂମିକାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଚାଲିଛି ଅବାଧରେ ବନ୍ୟଜନ୍ତୁଙ୍କ ଶିକାର ।
କେତେବେଳେ ଦାନ୍ତ ପାଇଁ ଦନ୍ତାହାତୀର ଶିକାର ହେଉଛି ତ ପୁଣି କେତେବେଳେ ମାଂସ, ନଖ ,ଛାଲ ପାଇଁ ହେଉଛି ବନ୍ୟଜନ୍ତୁଙ୍କ ଶିକାର । ବୌଦ୍ଧ ଜିଲ୍ଲାର ଛ’ ଗୋଟି ବନାଞ୍ଚଳ ମଧ୍ୟରେ ଗତ ବର୍ଷକ ମଧ୍ୟରେ ଶତାଧିକ ବନ୍ୟଜନ୍ତୁଙ୍କ ଶିକାର ହୋଇସାରିଥିଲେ ମଧ୍ୟ ବିଭାଗ ହାତରେ କେବଳ ହାତ ଗଣତି କେତୋଟି ମାମଲା ରହିଛି ।
ଏଥିସହିତ ବିଭିନ୍ନ ଜଙ୍ଗଲରୁ ବ୍ୟାପକ ଗଛ କଟାଯାଇ ଚୋରା ଚାଲାଣ ଏକ ସାଧାରଣ କଥା ହୋଇଯାଇଛି । ତେବେ ଏସବୁ ବନ୍ୟଜନ୍ତୁ ଶୀକାର ଓ କାଠ ଚୋରା ଚାଲାଣ ପଛରେ କିଛି ଦୁର୍ନୀତିଗ୍ରସ୍ତ ଜଙ୍ଗଲ କର୍ମଚାରୀଙ୍କ ପ୍ରଛଦ ହାତ ରହିଛି । ବର୍ତ୍ତମାନ ପୁଣି ମନମୁଣ୍ଡା ବନାଞ୍ଚଳ ଅଧିକାରୀଙ୍କ ଅପାରଗତାକୁ ନେଇ ଉଠିଛି ବଡ ପ୍ରଶ୍ନବାଚୀ । ମନମୁଣ୍ଡା ବନାଞ୍ଚଳରୁ ବାରମ୍ବାର ଚୋରା କାଠ ଚାଲାଣ ହେଉଥିବାବେଳେ ବାଘଛାଲର ଏକ ବଡ ରାକେଟ ମଧ୍ୟ କାର୍ଯ୍ୟ କରୁଛି ।