ବୌଦ୍ଧ: ଜଣେ ରୋଡ ରୋମିଓଙ୍କୁ ବିଚ ରାସ୍ତାରେ ନିସ୍ତୁକ ମାଡ ମାରିବା ଏବେ ମହଙ୍ଗା ପଡିଛି ବୌଦ୍ଧ ପୋଲିସର ଜଣେ କନେଷ୍ଟବଲଙ୍କୁ । ଘଟଣା ଅନୁସାରେ ଗତକାଲି ବୌଦ୍ଧ ଓ ବଙ୍କାପଡା ରାସ୍ତାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ କିଛି ଯୁବକ ଅସଦାଚରଣ କରିଥିବା ଅଭିଯୋଗ ପାଇବା ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାସହ 4ଜଣ ଯୁବକଙ୍କୁ ମଧ୍ୟ ପୋଲିସ କାବୁ କରିଥିଲା ।
ତେବେ ପିସିଆରରେ ଆସିଥିବା 4ଜଣ କନେଷ୍ଟବଳଙ୍କ ମଧ୍ୟରୁ ଜଣେ ପୋଲିସ ପୋଷାକରେ ନଥିଲେ । ସାଧା ପୋଷାକରେ ଥିବା କନେଷ୍ଟବଳ ଜଣଙ୍କ ଜଣେ ଯୁବକଙ୍କୁ ଏକ ପ୍ଲାଷ୍ଟିକ ପାଇପରେ ନିସ୍ତୁକ ମାଡ ମାରିଥିଲେ । ଏହାସହ ଅଶ୍ରାବ୍ୟ ଭାଷାରେ ମଧ୍ୟ ଗାଳି ଗୁଳଜ କରିଥିଲେ । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ପୋଲିସର ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ଭିନ୍ନଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବୌଦ୍ଧ ଏସପି ଓ୍ବାଇ ରଘୁନାଥ ରାଓ ତୁରନ୍ତ ଉକ୍ତ କନେଷ୍ଟବଳଙ୍କୁ ନିଳମ୍ବିତ କରିଛନ୍ତି ।