ବୌଦ୍ଧ: କୋରୋନା କଟକଣା ମଧ୍ୟରେ ଉଦଘାଟିତ ହେଲା ଷଷ୍ଠ ଦଶ ବୌଦ୍ଧ ପୁସ୍ତକ ମେଳା । ଏହି ଅବସରରେ ପ୍ରାୟ ନବେ ବର୍ଷ ତଳେ ବୌଦ୍ଧ ରାଜା ନାରାୟଣ ପ୍ରସାଦ ଦେବଙ୍କ ଆର୍ଥିକ ସହାୟତାରେ ପ୍ରକାଶିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।
ପୁରୁଣା ସ୍ମୃତିକୁ ସାଉଁଟିଲା ବୌଦ୍ଧ ପୁସ୍ତକ ମେଳା - ବୌଦ୍ଧ ପୁସ୍ତକ ମେଳା
ଉଦଘାଟିତ ହେଲା ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା । ତେବେ ଚଳିତ ବର୍ଷ କେବଳ ଜିଲ୍ଲାର ଲେଖକଙ୍କ ପ୍ରକାଶିତ ପୁସ୍ତକ ଓ ପତ୍ର ପତ୍ରିକା ପ୍ରଦର୍ଶିତ ହୋଇଛି । ଏ ସମସ୍ତ କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ତୃତୀୟ ଖଣ୍ଡ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଥିଲା । ଅଧିକ ପଢନ୍ତୁ...
ପ୍ରତ୍ୟେକ ବର୍ଷ ବୌଦ୍ଧ ପୁସ୍ତକ ମେଳା ଅତ୍ୟନ୍ତ ଆକର୍ଷଣୀୟ ଭାବରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଏହାର ଆୟୋଜକ ଜିଲ୍ଲା ସାମ୍ବାଦିକ ଫୋରମ କେବଳ ଜିଲ୍ଲାର ଲେଖକଙ୍କ ପ୍ରକାଶିତ ପୁସ୍ତକ ଓ ପତ୍ର ପତ୍ରିକାକୁ ପ୍ରଦର୍ଶିତ କରିଥିଲେ । ଦୁଇ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସମ୍ମାନିତ ଅତିଥି ରୂପେ ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ଓ ବାଗ୍ମୀ ସାହିତ୍ୟିକ ବନମାଳୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ ।
ଏହି ଅବସରରେ ବିଭିନ୍ନ ପ୍ରାଚୀନ ପୁସ୍ତକ ଓ ପତ୍ର ପତ୍ରିକା ସହ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ତୃତୀୟ ଖଣ୍ଡର ପ୍ରକୃତ ସଂସ୍କରଣ ପ୍ରଦର୍ଶିତ ହୋଇଥିଲା । ଏହି ଖଣ୍ଡକୁ ବୌଦ୍ଧ ରାଜା ଆର୍ଥିକ ସହାୟତା ଯୋଗାଇ ଦେଇ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ଏହା ପ୍ରକାଶିତ କରିବାରେ ସାହାଯ୍ୟ କରିଥିଲେ । ଏଥିସହିତ ଆହୁରି ଅନେକ ପୁରୁଣା ପତ୍ର ପତ୍ରିକାକୁ ଦେଖି ଦର୍ଶକ ମଧ୍ୟ ବେଶ ପ୍ରଶଂସା କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ