ବୌଦ୍ଧ: ନବୀନ ପଟ୍ଟନାୟକ ଇସ୍ତଫା ଦିଅ । ଗଣବିକ୍ଷୋଭ କରି ଏଭଳି ସ୍ଲୋଗାନ ଦେଇଛି ବିଜେପି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ସାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଗର୍ଜିଛି ବିଜେପି । ରାଜ୍ୟର ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କହିଛି ବିଜେପି ଦଳ ।
ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ଜିଲ୍ଲା ବିଜେପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ରାଜ୍ୟ ବିଜେପିର ନିଷ୍ପତ୍ତି କ୍ରମେ ଗତକାଲି ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ବିକ୍ଷୋଭ ଶୋଭାଯାତ୍ରା ସହିତ ପ୍ରତିବାଦ ସଭା କରିଛି । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ସଚ୍ଚିଦାନନ୍ଦ ଦଲାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଜର ପୁରୁଣା ସ୍ମୃତିକୁ ବର୍ଣ୍ଣନା କରିଥିଲେ ।
ବିଶେଷ ଭାବରେ ବର୍ତ୍ତମାନ ସମୟରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ତଥା ସାଧାରଣ ନାଗରିକଙ୍କ ପ୍ରତି ବିପଦ ମାଡି ଆସୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା । ଗତ କିଛି ଦିନ ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ଜିଲ୍ଲା ବିଜେପି ଗଭୀର ଉଦବେଗ ପ୍ରକାଶ କରିବା ସହିତ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ପାଇଁ ଦାବି କରିଛି । ଦଳ ପକ୍ଷରୁ ବିଜେପିର ଅନେକ ନେତୃବୃନ୍ଦଙ୍କ ସମେତ ଶତାଧିକ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ବିକ୍ଷୋଭରେ ସାମିଲ ହୋଇଥିଲେ ।