ବୌଦ୍ଧ: ତେଲନଦୀ ଓ ମହାନଦୀରେ ଲଗାତାର ଦୁଇ ବର୍ଷ ଧରି ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏସବୁ କ୍ଷୟକ୍ଷତିର ପୁନଃନିର୍ମାଣ ଏଫଡିଆରକୁ ନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପ୍ରଶାସନ ପକ୍ଷରୁ ସମିତି ସଭ୍ୟ ମାନଙ୍କୁ ସୂଚନା ଦିଆନଯାଇ ଅନ୍ଧକାରରେ ରଖାଯାଉଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାର ତେଲନଦୀ ଓ ମହାନଦୀରେ ପ୍ରାୟ ବର୍ଷ ବନ୍ୟା ଜଳ ଆସି କ୍ଷୟକ୍ଷତି ଘଟାଇଥାଏ । ଗତବର୍ଷ ତେଲନଦୀରେ ବନ୍ୟା ଯୋଗୁଁ କଣ୍ଟାମାଳ ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।ଏଥିରେ ବିଶେଷ ଭାବରେ କଣ୍ଟାମାଳ ବ୍ଲକର ତେଲନଦୀ କୂଳର ପଞ୍ଚାୟତ ଗୁଡିକର ରାସ୍ତା ଘାଟ ଅଧିକାଂଶ ସ୍ଥାନରେ ନଷ୍ଟ ହୋଇଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ତଥା କ୍ଷୟକ୍ଷତିର ପୁନଃନିର୍ମାଣ ପାଇଁ ସରକାର ଏଫଡିଆର ଅନୁଦାନ ଯୋଗାଇ ଦେଇଥିଲେ ।ତେବେ ବିଜେପି ପକ୍ଷରୁ ଏନେଇ ପ୍ରତିକ୍ରିୟା ପ୍ରକାଶ କରି ଏସବୁ ଅର୍ଥର ସଦୁପଯୋଗ ଉପରେ ଗୁରୁତ୍ୱ ଦେବାକୁ ଦାବି କରିଛି ।