ବୌଦ୍ଧ: ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ନେଇ ଅସନ୍ତୋଷ ଜୋର ଧରିବାରେ ଲାଗିଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷଣ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଅସନ୍ତୋଷ ଦେଖା ଦେଇଛି।
ବୌଦ୍ଧ ଜିଲ୍ଲାରେ ନିର୍ବାଚନରେ ଅନୁସୂଚିତ ଜନଜାତିଙ୍କ ଆଦୌ ସଂରକ୍ଷଣ ନଥିବା ନେଇ ବିରୋଧ ଜୋର ଧରିଛି । ଏଥିସହ ଓବିସିଙ୍କ ପାଇଁ ମଧ୍ୟ ଆଦୌ ସଂରକ୍ଷଣ ଲାଗୁ ହୋଇନଥିବାରୁ ଜିଲ୍ଲା ବିଜେପି ଏହାର ତୀବ୍ର ପ୍ରତିବାଦ କରିଛି । ବୌଦ୍ଧ ଜିଲ୍ଲାର ମୋଟ 69ଟି ପଞ୍ଚାୟତ ରହିଛି । ତେବେ ଗୋଟିଏ ପଞ୍ଚାୟତରେ ମଧ୍ୟ ଅନୁସୂଚିତ ଜନଜାତିଙ୍କ ପାଇଁ ସରପଞ୍ଚ ଆସନ ସଂରକ୍ଷିତ ନାହିଁ । ତେଣୁ ଜିଲ୍ଲାର ବିଭିନ୍ନ ଆଦିବାସୀ ସମାଜ ପକ୍ଷରୁ ଏହାର ବିରୋଧ କରାଯାଉଥିବା ଦେଖା ଯାଉଛି । ଏବଂ ଆବଶ୍ୟକ ପଡିଲେ ଭୋଟ ବର୍ଜନ ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି। ସେହିପରି ଓବିସି ବର୍ଗଙ୍କ ପାଇଁ ଆଦୌ ଆସନ ସଂରକ୍ଷଣ ନଥିବାରୁ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛି ବିଜେପି । ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।