ବୌଦ୍ଧ: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ତିନି ପ୍ରତିଦ୍ବନ୍ଦି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଏହାରି ମଧ୍ୟରେ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ତିନି ଦଳ । ରବିବାର ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିଜେପି ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚାର ସଂପାଦକ ବାବୁ ଭାଇ ଜେବେଲିଆ । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଥିବା ଅଭିଯୋଗ କରିଥିଲେ ବାବୁ ଭାଇ । ଏଥିସହ କେନ୍ଦ୍ର ସରାକାରଙ୍କ ଯୋଜନା କିପରି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେନଇ ଦଳର କର୍ମକର୍ତ୍ତାକୁ ପରାମର୍ଶ ଦେଇଥିଲେ ।
କେନ୍ଦ୍ରରେ ବିଜେପି ସରକାରର ୯ ବର୍ଷ କାର୍ଯ୍ୟକାଳର ସଫଳତା ଗାଥାକୁ ବଖାଣୁଛନ୍ତି ନେତାକର୍ମୀ । ମେ ୩୦ରୁ ଜୁନ ୩୦ ପର୍ଯ୍ୟନ୍ତ ଏକ ମାସ ଧରି ବିଜେପି ପକ୍ଷରୁ ଜନସମ୍ପର୍କ ଅଭିଯାନ ଜାରି ରହିଛି । ଏହି କ୍ରମରେ ଗତକାଲି ବୌଦ୍ଧ ଗସ୍ତରେ ଆସିଥିଲେ ବାବୁ ଭାଇ ଜେବେଲିଆ । ଏଠାରେ ସେ ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରରେ ଆୟୋଜିତ ଦୁଇଟି କାର୍ଯ୍ୟକ୍ରମରେ ଦଳର ସାଙ୍ଗଠନିକ ସ୍ଥିତି ଉପରେ ବିଚାର ବିମର୍ଷ ହୋଇଥିଲା । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ 9 ବର୍ଷର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।