ଓଡିଶା

odisha

ETV Bharat / state

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା 'ବେଟି ବଚାଓ ବେଟି ପଢାଓ' ଅଭିଯାନ - ବୌଦ୍ଧ ନ୍ୟୁଜ

ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ 'ବେଟି ବଚାଓ ବେଟି ପଢାଓ' ଅଭିଯାନ ଆରମ୍ଭ । ଅଧିକ ପଢନ୍ତୁ

beti bachao beti padhao
beti bachao beti padhao

By

Published : Jul 26, 2023, 3:21 PM IST

ବେଟି ବଚାଓ ବେଟି ପଢାଓ

ବୌଦ୍ଧ:ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା 'ବେଟି ବଚାଓ ବେଟି ପଢ଼ାଓ' ଅଭିଯାନ । ଗତକାଲି(ମଙ୍ଗଳବାର) ଏନେଇ ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କନ୍ୟା ଭୃଣ ହତ୍ୟା ରୋକିବା ଦିଗରେ ତଥା ଲିଙ୍ଗଗତ ବୈଷମ୍ୟତା ଦୂର ପାଇଁ ପ୍ରଚେଷ୍ଟା କରାଯିବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି ।

ତୃତୀୟ ପର୍ଯ୍ୟାୟରେ 'ବେଟି ବଚାଓ ବେଟି ପଢାଓ' ଅଭିଯାନରେ ସାମିଲ ହୋଇଛି ବୌଦ୍ଧ । ତେବେ ଏହି ଅଭିଯାନର ଶୁଭାରମ୍ଭ ଅବସରରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ତିନୋଟି ବ୍ଲକର ମହିଳା ଶିଶୁ ବିକାଶ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ସ୍କୁଲ ତଥା କଲେଜର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବାଲ୍ୟବିବାହ ଗତ କିଛି ବର୍ଷ ପୂର୍ବେ ଅତ୍ୟନ୍ତ ଉଦବେଗଜନକ ସ୍ଥିତିରେ ରହିଥିଲା । କିନ୍ତୁ ବର୍ତ୍ତମାନ ଜିଲ୍ଲା ପ୍ରଶାସନର କଡ଼ା ଆଭିମୁଖ୍ୟ ତଥା କଠୋର ପଦକ୍ଷେପ ପରେ ଏଭଳି କୁସଂସ୍କାର ଅନେକାଂଶରେ ନିୟନ୍ତ୍ରଣ ହୋଇ ପାରିଛି । କିନ୍ତୁ ଏବେ ମଧ୍ୟ କେତେକ ସ୍ଥାନରେ ଏହି ପ୍ରଥା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାରେ କନ୍ୟା ଭୃଣ ହତ୍ୟା ମାମଲା ଏତେଟା ଗୁରୁତର ନ ଥିଲେ ମଧ୍ୟ ଲିଙ୍ଗ ନିରୂପଣ ଯୋଗୁଁ ଅନେକ ସମୟରେ କନ୍ୟା ସନ୍ତାନ ନେଇ ପାରିବାରିକ କଳହର ସୂତ୍ରପାତ ହେଉଛି । ଗୋଟିଏ ପଟରେ ଜିଲ୍ଲାରେ କନ୍ୟା ରତ୍ନକୁ ଗୁରୁତ୍ବ ପ୍ରଦାନ କରାଯାଉଥିବା ବେଳେ ଅନ୍ୟ ପଟରେ ଗତବର୍ଷ ନାରାୟଣ ପ୍ରସାଦ ଗ୍ରାମରେ ପାଞ୍ଚ ମାସର କନ୍ୟାକୁ ପିଟି ପିଟି ହତ୍ୟା କରିଥିବା ପିତାକୁ କଣ୍ଟାମାଳ ବିଚାର ବିଭାଗୀୟ ଅଦାଲତ ଆଜୀବନ କାରାଦଣ୍ଡ ରାୟ ଶୁଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ- ବେଟି ବଚାଓ, ବେଟି ପଢାଓ ଓ ବେଟି ବଢାଓ କାର୍ଯ୍ୟକ୍ରମର ଶୁଭାରମ୍ଭ

ତେବେ ଜିଲ୍ଲାରେ କନ୍ୟା ରତ୍ନର ସୁରକ୍ଷା ତଥା ଶିକ୍ଷା ବ୍ୟବସ୍ଥାରେ ଲିଙ୍ଗଗତ ସମାନତା ରକ୍ଷା ଉଦ୍ଦେଶ୍ୟରେ ସମସ୍ତେ ଆଗେଇ ଆସିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି । ବୈଠକରେ ଲିଙ୍ଗ ନିରୂପଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିଷେଦ୍ଧ କରିବା ପାଇଁ ମତ ପ୍ରକାଶ ପାଇଥିଲା । ତେବେ ଗତ ୨୦୧୫ ମସିହାରେ କେନ୍ଦ୍ର ସରକାର କନ୍ୟା ରତ୍ନକୁ ଅଧିକ ଗୁରୁତ୍ବ ପ୍ରଦାନ କରିବା ପାଇଁ 'ବେଟି ବଚାଓ ବେଟି ପଢାଓ' ଅଭିଯାନର ଶୁଭାରମ୍ଭ କରିଥିଲେ । ଏନେଇ ଗତକାଲି(ମଙ୍ଗଳବାର) ବୌଦ୍ଧ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଥିବାରୁ ବିଭିନ୍ନ ମହଲରେ ବେଶ ଆନନ୍ଦ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details