ବୌଦ୍ଧ:ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଯୋଗ୍ୟ ହିତାଧିକାରୀଙ୍କ ସ୍ଥାନରେ ଅଯୋଗ୍ୟଙ୍କୁ ସ୍ଥାନ ମିଳିଛି । ତେବେ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଥିବାରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହିତାଧିକାରୀ । ସେହିପରି ଚଞ୍ଚକତା କରି ଦଳୀୟ ଭିତ୍ତିରେ ଆବାସ ଗୃହ ଯୋଗାଇ ଦିଆଯାଉଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ ।
କେନ୍ଦ୍ର ସରକାର ବାରମ୍ବାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲାରେ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡୁଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ରହିଛି । ଯାହା ଫଳରେ ଯୋଗ୍ୟ ବ୍ୟକ୍ତି ଯୋଜନାରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଗତକାଲି ବିଭିନ୍ନ ପଞ୍ଚାୟତର ହିତାଧିକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ତେବେ ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା,ଟିକରପଡା, ଖୁଣ୍ଟବନ୍ଧ, ଲକ୍ଷ୍ମୀ ପ୍ରସାଦ, ମୁଣ୍ଡାପଡା, ବାଉଶୁଣୀ, ବ୍ରାହ୍ମଣୀପାଲି ଭଳି ଅନେକ ପଞ୍ଚାୟତ ଗୁଡ଼ିକରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ହିତାଧିକାରୀଙ୍କ ନିକଟରୁ ୫ ରୁ ୧୦ହଜାର ଟଙ୍କା ଲେଖାଏଁ ଲାଞ୍ଚ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ତେବେ ଏଭଳି ଅନିୟମିତତା କାର୍ଯ୍ୟର ନେତୃତ୍ବ ଖୋଦ ବୌଦ୍ଧ ବ୍ଲକର ବିଡିଓ ନେଇଥିବା ନେଇ ଅଭିଯୋଗ ହୋଇଛି । ସେପଟେ ବିଡ଼ିଓ ଅବନାଶ ପାଣ୍ଡିଆଙ୍କ ଇତି ମଧ୍ୟରେ ଅନ୍ୟ ଜିଲ୍ଲାକୁ ବଦଳି ହୋଇ ସାରିଥିଲେ ମଧ୍ୟ ଏଭଳି ଅନିୟମିତତା ତଥା ଦୁର୍ନୀତିକୁ ଚପାଇ ଦେବାକୁ ସେ ଏପର୍ଯ୍ୟନ୍ତ ରିଲିଫ ହେଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହିତାଧିକାରୀମାନେ ତୁରନ୍ତ ବିଦାୟୀ ବିଡ଼ିଓଙ୍କୁ ରିଲିଫ ଦାବିରେ ଅଡ଼ି ବସିବା ସହିତ ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।