ବୌଦ୍ଧ : ଉପାନ୍ତ ପଞ୍ଚାୟତରେ ପହଞ୍ଚି ପାରୁନି ସରକାରଙ୍କ କଲ୍ୟାଣକାରୀ ଯୋଜନା । ସରକାର ଲୋକଙ୍କ ନିକଟରେ ଯୋଜନାର ସଫଳ ରୂପାୟନ ପାଇଁ ନୂତନ ପଞ୍ଚାୟତ, ରାଜସ୍ବ ମଣ୍ଡଳ ଗଠନ ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଲମ୍ବସରୀ ପଞ୍ଚାୟତକୁ ବିଭିନ୍ନ କାରଣରୁ ବାରମ୍ବାର ଉପେକ୍ଷା କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଲମ୍ବସରୀ ଜିଲ୍ଲାର ଅନ୍ୟତମ ବୃହତ ପଞ୍ଚାୟତ ହୋଇଥିବାବେଳେ ଏହାର ପରିସୀମା ଉଭୟ ବରଗାଁ ଓ କଣ୍ଟାମାଳ ପଞ୍ଚାୟତ ସମେତ ଦପଲାକୁ ବିସ୍ତୃତ ରହିଛି ।
ବଣ ଜଙ୍ଗଲ ଘେରା ପାହାଡିଆ ଝରଣା ଘେରିଥିବା ଏହି ପଞ୍ଚାୟତର ଅନେକ ଗାଁକୁ ଉପଯୁକ୍ତ ରାସ୍ତା ନିର୍ମାଣ ହୋଇନଥିବାରୁ ଆମ୍ବୁଲାନ୍ସ ସେବା ପହଞ୍ଚି ପାରି ନଥାଏ । ଲମ୍ବସରୀ ପଞ୍ଚାୟତର ରେକଡୋଲ, ଧେଣ୍ଡକୁଟୀ, ଦେମୁହାଣୀ, ମୁଟୁରା, ବାଲିଛାପର, ବଲମତୁପା, ଖମାର, ଖଇରମାଳ ଭଳି ଅନେକ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଅଭାବରୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ପହଞ୍ଚି ପାରୁନାହିଁ ।