ବୌଦ୍ଧ : ନଦନଦୀରେ ଭରପୁର ବୌଦ୍ଧ ଜିଲ୍ଲା । ଏହି ଜିଲ୍ଲାର ଅଧିବାସୀଙ୍କ ପ୍ରମୁଖ ପନ୍ଥା ଚାଷ କାର୍ଯ୍ୟ । ହେଲେ ଏଠାରେ ଜଳସେଚନର ସମସ୍ୟା ଲାଗି ରହିଥିବାରୁ ନାନା ସମସ୍ୟା ଦେଖା ଦେଇଛି । ବିଶେଷତଃ ଏଠିକାର ତଳ ମୁଣ୍ଡରେ ଅନେକ ସମୟରେ ଜଳସେଚନର ସମସ୍ୟା ଲାଗି ରହୁଛି । ଏହାକୁ ହୃଦୟଙ୍ଗମ କରି କେନ୍ଦ୍ରର ବିଶେଷଜ୍ଞ ଦଳ ଉକ୍ତ ଅଞ୍ଚଳର ପରିଦର୍ଶନ କରି ଜିଲ୍ଲାର ଆଉ ଦୁଇଟି ସ୍ଥାନରେ ବ୍ୟାରେଜ ନିର୍ମାଣ ପାଇଁ ଯାେଜନା କରିଛନ୍ତି (Barrage to be constructed in Boudh district) । ତେବେ ବିଶେଷଜ୍ଞ ଦଳ ଉକ୍ତ ଅଞ୍ଚଳର ପରିଦର୍ଶନ ପରେ ଚାଷୀ ଏନେଇ ବେଶ ଆଶା ବାନ୍ଧି ବସିଛି ।
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଅଧିକାଂଶ ଅଧିବାସୀ ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ । ଏହି ଜିଲ୍ଲା ଦେଇ ମହାନଦୀ ସମେତ ସାଲୁଙ୍କୀ, ଲକ୍ଷ୍ମୀ, ବାଘ, ତେଲନଦୀ, ଖଡଙ୍ଗ ନଦୀ ଭଳି ଅନେକ ନଦୀ ନାଳ ପ୍ରବାହିତ ହେଉଛି । ଜିଲ୍ଲାର ପାଲଝାର ଠାରେ ସାଲୁଙ୍କୀ ସେଚ ପ୍ରକଳ୍ପ ଓ ଶଗଡାଠାରେ ବାଘ ଜଳସେଚନ ପ୍ରକଳ୍ପ ରହିଥିବା ବେଳେ ଉଭୟ କଣ୍ଟାମାଳ ଓ ହରଭଙ୍ଗା ବ୍ଲକରେ କୌଣସି ବୃହତ ଜଳସେଚନ ପ୍ରକଳ୍ପ ନାହିଁ ।
କେବଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଉଠା ଜଳସେଚନ ପ୍ରକଳ୍ପ ଏସବୁ ସ୍ଥାନରେ ବିକଳ୍ପ ହୋଇ ରହିଛି । ଗୁରୁଜୀମୁଣ୍ଡା ଠାରେ ସାଲୁଙ୍କୀ ନଦୀର ଉପର ମୁଣ୍ଡରେ ଓ ଖଡଙ୍ଗ ବ୍ୟାରେଜ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା । ବର୍ତ୍ତମାନ ଉକ୍ତ ଦୁଇ ସ୍ଥାନରେ ବ୍ୟାରେଜ ନିର୍ମାଣ ପାଇଁ କେନ୍ଦ୍ରରୁ ଏକ ଉଚ୍ଚ ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ କରି ଫେରିବା ପରେ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ବେଶ ଆନନ୍ଦ ପ୍ରକାଶ ପାଇଛି ।
ଏହାମଧ୍ୟ ପଢ଼ନ୍ତୁ. ୨୦ ବର୍ଷ ହେଲାଣି ସରୁନି ବ୍ୟାରେଜ ନିର୍ମାଣ, ଜଳସେଚନରୁ ବଞ୍ଚିତ ୫ ପଞ୍ଚାୟତବାସୀ