ବୌଦ୍ଧ: ବୌଦ୍ଧ ଜିଲ୍ଲାର ଐତିହାସିକ ଡାକବଙ୍ଗଳା ଆଜି ଧ୍ବଂସାଭିମୁଖି । ରକ୍ଷଣାବେକ୍ଷଣ ଏବଂ ମରାମତି କଥା ଯେମିତି ପୂରା ଭୁଲି ଯାଇଛି ପ୍ରଶାସନ । ଏହି ଡାକବଙ୍ଗଳାଗୁଡିକର ପୁନଃଉଦ୍ଧାର ଏବଂ ସୁରକ୍ଷା ନେଇ ବାରମ୍ବାର ଦାବି ମଧ୍ୟ ହୋଇ ଆସୁଛି। ହେଲେ କାହାର ନିଘା ନାହିଁ ଏହି ଐତିହ୍ୟ ପ୍ରତି ।
ଗଡଜାତ ରାଜ୍ୟ ବୌଦ୍ଧର ଭଞ୍ଜ ବଂଶୀୟ ରାଜାମାନେ ଅତ୍ୟନ୍ତ ପ୍ରଜାବତ୍ସଳ ତଥା ଶାସନ ଦୃଷ୍ଟିରୁ ବିଚକ୍ଷଣ ଥିଲେ । ଆଧୁନିକ ବୌଦ୍ଧର ପ୍ରତିଷ୍ଠାତା ଭାବରେ ପରିଚିତ ୪୪ତମ ଭଞ୍ଜ ନରପତି ଯୋଗୀନ୍ଦ୍ରଦେବ ଥିଲେ ଏହି ଧାରାର ସର୍ବୋତ୍କୃଷ୍ଟ ଶାସକ । କାରଣ ନିଜ ପିତା ପୀତାମ୍ବରଦେବଙ୍କ ରାଜତ୍ଵରେ ବୌଦ୍ଧରୁ କନ୍ଧମାଳ, ପଞ୍ଚରାଞ୍ଚଳ, ଆଠମଲ୍ଲିକ ପ୍ରଭୃତି ସ୍ଥାନ ବ୍ରିଟିଶ ସରକାର ଚକ୍ରାନ୍ତ କରି ଅଲଗା କରିଥିଲେ ମଧ୍ୟ ଯୋଗୀନ୍ଦ୍ର ଦେବ ବୌଦ୍ଧ ଭଳି ଏକ ରାଜ୍ୟକୁ ଉନ୍ନତିର ଶିଖରକୁ ନେଇପାରିଥିଲେ ।
ଇଂରାଜୀ ଶିକ୍ଷାର ପ୍ରଚଳନ ହେଉ କିମ୍ବା ଶାସନ କ୍ଷେତ୍ରରେ ପାରଦର୍ଶିତା ହେଉ ସବୁଥିରେ ଯୋଗୀନ୍ଦ୍ରଦେବ ବୌଦ୍ଧ ରାଜ୍ୟକୁ ଏକ ସ୍ବତନ୍ତ୍ର ସ୍ଥାନରେ ରଖିଥିଲେ । ଏହିଧାରାରେ ଯୋଗୀନ୍ଦ୍ରଦେବ ବୌଦ୍ଧ ରାଜ୍ୟର ପ୍ରତ୍ୟେକ ପାଞ୍ଚ କୋଶରେ ଗୋଟିଏ ବଙ୍ଗଳା ନିର୍ମାଣ କରାଇଥିଲେ । ବୌଦ୍ଧ ଜିଲ୍ଲାର ପ୍ରତ୍ୟେକ ପାଞ୍ଚ କୋଶ ଅର୍ଥାତ ପ୍ରାୟ ପନ୍ଦର କିଲୋମିଟରରେ ରହିଛି ଐତିହାସିକ ଡାକବଙ୍ଗଳା । ପ୍ରଥମେ ଏହାକୁ ପଞ୍ଚକୋଶି ବଙ୍ଗଳା, ପରେ ଡାକବଙ୍ଗଳା ଓ ଶେଷରେ ପିଡବ୍ଲୁଡି ବଙ୍ଗଳା କୁହାଗଲା । ଅବଶ୍ୟ ଉନବିଂଶ ଶତାବ୍ଦୀର ଶେଷବେଳକୁ ଯଦିଓ କିଲୋମିଟର ପ୍ରଚଳନ ଆରମ୍ଭ ହୋଇସାରିଥିଲା, ତଥାପି ଯୋଗୀନ୍ଦ୍ର ନିଜ ପ୍ରଜା ସହଜରେ ବୁଝିବା ନିମନ୍ତେ କୋଶ, ଯୋଜନ, ଫର୍ଲଙ୍ଗ ଆଦି ମାପର ବ୍ୟବହାର କରିଥିଲେ ।