ବୌଦ୍ଧ: ପ୍ରାଚୀନ ଲୋକ ନୃତ୍ୟକୁ ପୁନର୍ଜୀବିତ ପାଇଁ ଉଦ୍ୟମ । ପ୍ରାଚୀନ ଲୋକନୃତ୍ୟ ଓ ଲୋକ କଳାକୁ ବଞ୍ଚାଇ ରଖିବା ପାଇଁ ଅଣ୍ଟା ଭିଡ଼ିଛନ୍ତି କଳାକାର । ଲୁପ୍ତ ପ୍ରାୟ ଲୋକ ନୃତ୍ୟ ଓ ଲୋକ କଳାକୁ ପୁନର୍ଜୀବିତ ପାଇଁ ଉଦ୍ୟମ କରାଯାଇଛି । ବୌଦ୍ଧ ଜିଲ୍ଲା ସଦର ମହକୁମା ନିକଟସ୍ଥ ଗ୍ରାମ ମର୍ଜାକୁଦ ଠାରେ ନୂଆଁଖାଇ ଭେଟଘାଟ ଅବସରରେ ଲୋକ କଳାର ପ୍ରଚାର ପ୍ରସାର ହୋଇଥିଲା ।
ବୌଦ୍ଧ ଜିଲ୍ଲାର ସ୍ଥାନୀୟ ପ୍ରାଚୀନ ସଉରା, ଝାଲିଆ ଶବର, ବୀଣାକାରିଆ, ବାଇଧନ ଭଳି ଲୋକନୃତ୍ୟ ବର୍ତ୍ତମାନ କେବଳ ଚୈତ୍ର ମାସର ଦଣ୍ଡ ଯାତ୍ରାରେ ସିମୀତ ରହିଯାଇଛି । ଏହାର ଅଙ୍ଗ ଭଙ୍ଗି, ନୃତ୍ୟର ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବା ବେଳେ ଧିରେ ଧିରେ ଏହା ଲୁପ୍ତ ହେବାକୁ ବସିଛି । ତେଣୁ ଏଭଳି ଲୁପ୍ତ ପ୍ରାୟ ଲୋକନୃତ୍ୟକୁ ଉଜ୍ଜୀବିତ କରିବା ନିମନ୍ତେ ପ୍ରଥମଥର ପାଇଁ ବୌଦ୍ଧ ଜିଲ୍ଲାର ମର୍ଜାକୁଦ ଠାରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ନିଆରା ଲୋକନୃତ୍ୟକୁ ପ୍ରଦର୍ଶନ କରିଥିଲେ । ଏନେଇ କାର୍ଯ୍ୟକ୍ରମର ଆୟୋଜକ କହିଛନ୍ତି, " ନୂଆଁଖାଇ ମାଧ୍ୟମରେ ବୌଦ୍ଧ ଜିଲ୍ଲାରେ ଲୁପ୍ତ ହୋଇ ଯାଉଥିବା ଦଣ୍ଡ ନୃତ୍ୟ ଷୋହଳ ସୁଆଙ୍ଗ କଳାକୁ ପ୍ରତି ପୁରପଲ୍ଲୀ, ରାଜ୍ୟ ତଥା ଭାରତରେ ପରିଚିତ କରିବା ପାଇଁ ଏହି ପ୍ରୟାସ କରାଯାଇଛି ।"