ବୌଦ୍ଧ:ଜଙ୍ଗଲମନ୍ତ୍ରୀଙ୍କ ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀ ଓ ଜଙ୍ଗଲ ସମ୍ପଦ । ବନ୍ୟପ୍ରାଣୀଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି । ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ବନ୍ୟଜନ୍ତୁ ଶିକାର । ସଦର ମହକୁମା ନିକଟ ବାଙ୍କମୁଣ୍ଡି ଜଙ୍ଗଲରୁ ଶିକାରୀମାନେ ବାରହା ଓ ଭାଲୁ ଶିକାର କରିଥିବା ଅଭିଯୋଗ ହୋଇଛି । ବାରହା ଶରୀରର କିଛି ଅଂଶ ଓ ଏକ ଭାଲୁର ମୃତଦେହକୁ ବନ ବିଭାଗ ଉଦ୍ଧାର କରି ଅଧିକ ତଦନ୍ତ ଆରମ୍ଭ କରିଛି । ଏପରି ଘଟଣାରେ ଅନେକ ସମୟରେ ବନ ବିଭାଗ ଶିକାରୀଙ୍କୁ ଧରିବାରେ ସଫଳତା ପାଉଥିବା ବେଳେ ଜନ ସଚେତନତା ଅଭାବରୁ ବନ୍ୟଜନ୍ତୁଙ୍କ ଶିକାର ବୃଦ୍ଧି ହେବାରେ ଲାଗିଛି ।
ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ବନାଞ୍ଚଳରେ ଗତ କିଛି ବର୍ଷ ମଧ୍ୟରେ ହାତୀ ଭଳି ବିଶାଳକାୟ ପ୍ରାଣୀର ମୃତ୍ୟୁ ପରିବେଶପ୍ରେମୀଙ୍କୁ ଚିନ୍ତିତ କରିଛି । ଗତ ଦୁଇ ବର୍ଷ ତଳେ ମାଧପୁର ବନାଞ୍ଚଳରେ ଦୁଇଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ଗତ ବର୍ଷ ବୌଦ୍ଧ ବନାଞ୍ଚଳରେ ଲଗାତାର ଦୁଇଟି ଦନ୍ତାହାତୀଙ୍କୁ ଶିକାର କରାଯାଇଥିଲା । ଏହି ଘଟଣାରେ ବନ ବିଭାଗର ତଦନ୍ତ ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଜୁନ୍ ମାସ ୧୪ ତାରିଖରେ ବରଗାଁ ପଞ୍ଚାୟତର ଘୁଚାଙ୍ଗୀ ନିକଟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଦନ୍ତାହାତୀର ମୃତ୍ୟୁ ଘଟିଥିଲା । ଏହି ହାତୀ ମୃତ୍ୟୁ ତଦନ୍ତ ବର୍ତ୍ତମାନ ଦିଗହରା ହୋଇ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ କେତୋଟି ହାତୀ ଚଳପ୍ରଚଳ କରୁଛନ୍ତି ସେନେଇ ବନ ବିଭାଗ ନିକଟରେ କୌଣସି ସଠିକ ତଥ୍ୟ ନାହିଁ । ବରଗାଁ ଅଞ୍ଚଳରେ ଏକ ବଡ଼ ହାତୀପଲ ରହିଥିବା ବେଳେ ପ୍ରତ୍ୟେକ ସମୟରେ ଏସବୁ ଅଞ୍ଚଳରେ ମଣିଷ ଓ ହାତୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି ।