ବୌଦ୍ଧ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବୌଦ୍ଧ । ଶତାଧିକ ପର୍ଯ୍ୟଟନସ୍ଥଳୀ ଯାହା ବର୍ଷ ତମାମ ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସୁଛି । ବିଶେଷ ଭାବରେ ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ଅନେକ ଛୋଟବଡ ଦ୍ବୀପ ରହିଥିବା ବେଳେ ବର୍ତ୍ତମାନ ଏଭଳି ଏକ ଛୋଟ ଦ୍ବୀପରେ ପ୍ରତିଷ୍ଠା ହେବ ଇକୋ ରିଟ୍ରିଟ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ଆନନ୍ଦ ପ୍ରକାଶ କରିବା ସହିତ ଏହାକୁ ସ୍ବାଗତ କରିଛନ୍ତି ।
କୁଲାରୀକୁଦରେ ପ୍ରତିଷ୍ଠା ହେବ ଇକୋ ରିଟ୍ରିଟ: ମହାନଦୀ ଗର୍ଭରେ ରହିଛି ଏକାଧିକ ଛୋଟବଡ ଦ୍ବୀପ । ଏହି ଦ୍ବୀପ ବର୍ଷ ତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟି ଥାଏ । ଯାହାକୁ ଦୃଷ୍ଟିରେ ରଖି ସରକାର ମହାନଦୀ ଗର୍ଭରେ ଅବସ୍ଥିତ କୁଲାରୀକୁଦରେ ଇକୋ ରିଟ୍ରିଟ ପ୍ରତିଷ୍ଠା କରିବେ ।
ମହାନଦୀ ଗର୍ଭରେ ଥିବା ଦ୍ବୀପ :ପୁଣ୍ୟତୋୟା ମହାନଦୀ କୂଳରେ ଗଢିଉଠିଛି ଅନେକ ପ୍ରାଚୀନ ଜନବସତି । ବୌଦ୍ଧ ଜିଲ୍ଲାରେ ମହାନଦୀ ମନମୁଣ୍ଡାଠାରୁ ମାରଡା ପର୍ଯ୍ୟନ୍ତ ପ୍ରାୟ ଶହେ କିଲୋମିଟରରୁ ଊର୍ଦ୍ଧ୍ବ ପ୍ରବାହିତ ହୋଇଛି । ବିଶେଷ ଭାବରେ ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ଗର୍ଭରେ ରହିଛି ଏକାଧିକ ଛୋଟବଡ ଦ୍ବୀପ । ବୌଦ୍ଧ ନିକଟରେ ମର୍ଜାକୁଦ, କୁଲାରୀକୁଦ, ରାମଗଡ ନିକଟରେ କୁଆକୁଦ, ଡୁମୁଣୀକୁଦ ରହିଥିବା ବେଳେ ତନ୍ମଧ୍ୟରୁ ସର୍ବବୃହତ ମର୍ଜାକୁଦରେ କେବଳ ଜନବସତି ସ୍ଥାପନ ହୋଇଛି ।