କାମ୍ପା ଯୋଜନାରେ ଦୁର୍ନୀତି ଅଭିଯୋଗ ବୌଦ୍ଧ:ବୌଦ୍ଧ ବନଖଣ୍ଡରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଜଣେ ପୂର୍ବତନ ରେଞ୍ଜର କାମ୍ପା ଯୋଜନାରେ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବୌଦ୍ଧ ବନଖଣ୍ଡ ଅଧିକାରୀ ତଦନ୍ତ ସଂପର୍କରେ ସୂଚନା ଦେଇଛନ୍ତି । ସେପଟେ ବନାଞ୍ଚଳରେ ପଥପ୍ରାନ୍ତ ବନୀକରଣ ନାଁରେ ଲକ୍ଷ ଲକ୍ଷ ଚଳୁ କରାଯାଇଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବନ ବିଭାଗ ପକ୍ଷରୁ କାମ୍ପା ଯୋଜନାରେ କୋଟି କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି । ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଉନ୍ନୟନ କାର୍ଯ୍ୟ ବିଶେଷ ଭାବେ ବନୀକରଣ, ଜଳ ସଂରକ୍ଷଣ, ମୃତ୍ତିକା ଆଦ୍ରତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ବନ ବିଭାଗ ପକ୍ଷରୁ ହାତକୁ ନିଆଯାଇଛି । ହେଲେ ବୌଦ୍ଧ ବନଖଣ୍ଡର ପୁରୁଣା କଟକ ବନାଞ୍ଚଳରେ ଏହି କାମ୍ପା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଏହାଛଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ବନୀକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ତାହା ଫେଲ ମାରିଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ- ନୟାଗଡ ବନଖଣ୍ଡରେ ବ୍ୟାପକ ଦୁର୍ନୀତି, ଭିଜିଲାନ୍ସ ତଦନ୍ତ ଦାବିରେ ଧାରଣା
ଏହା ମଧ୍ୟ ପଢନ୍ତୁ- ସରକାରୀ ଅର୍ଥ ଆତ୍ମସାତ କରି ଜେଲ ଗଲେ ୨ ଦୁର୍ନୀତିଗ୍ରସ୍ତ ବନ ଅଧିକାରୀ
ସୂଚନା ମୁତାବକ ପୁରୁଣା କଟକ ରେଞ୍ଜ ଅନ୍ତର୍ଗତ ବୁଲୁରା ବିଟରେ କାମ୍ପା ଯୋଜନାରେ ଜଳ ସଂରକ୍ଷଣ ପ୍ରକଳ୍ପ ବାବଦରେ ପ୍ରାୟ ୪୦ଲକ୍ଷ ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟରେ ମୃତ ଶ୍ରମିକ, ବିଧବା, ବୃଦ୍ଧ, ସରକାରୀ କର୍ମଚାରୀଙ୍କ ନାମ ଥାଇ ସେମାନଙ୍କ ଆକାଉଣ୍ଟ ପଠାଯାଇଥିବା ସୂଚନା ଅଧିକାର ଚିଠାରୁ ଜଣାପଡ଼ିଛି । ସେହିପରି ପୁରୁଣା କଟକ ବନାଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା ପଥପ୍ରାନ୍ତ ବନୀକରଣ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ରାସ୍ତା କଡରେ ଗଛ ନ ଥାଇ ସେଗୁଡ଼ିକ ସୁରକ୍ଷା ନାଁରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବୌଦ୍ଧ ବନଖଣ୍ଡ ଅଧିକାରୀ ଏହାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ।
ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ କହିଛନ୍ତି ଯେ, 'ମୁଁ ଜାଣିବାର ସେମିତି କିଛି ହୋଇନି। କିନ୍ତୁ ଯେଉଁ ତଥ୍ୟ ସବୁ ଆରଟିଆଇ ଏବଂ ଗଣମାଧ୍ୟମରୁ ଆସୁଛି ତାକୁ ଆଧାର କରି ଆମେ ତଦନ୍ତ କରୁଛୁ । ତଦନ୍ତ ରିପୋର୍ଟ ଆସିଲା ପରେ ଘଟଣାର ସତ୍ୟତା ଜଣାପଡିବ । ମୁଁ ଜାଣିବାରେ କାମ ହୋଇଛି, ତେଣୁ ରିପୋର୍ଟ ଆସିବା ପରେ ଯାହା କିଛି ଜଣାପଡ଼ିବ ।'
ଇଟିଭି ଭାରତ, ବୌଦ୍ଧ