ବୌଦ୍ଧ:ଜିଲ୍ଲାର ଶିକ୍ଷା ବିଭାଗରେ ବ୍ୟାପକ ଅନିୟମିତତା ତଥା ସମସ୍ୟା ଭିତରେ ଛନ୍ଦି ହୋଇ ପଡିଛି । ବିଭିନ୍ନ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷକଙ୍କ ପଦୋନ୍ନତି ହୋଇ ପାରୁନଥିବା ବେଳେ ଅନେକ ସ୍ଥାନରେ ଶିକ୍ଷକ ଓ କର୍ମଚାରୀ ଦୀର୍ଘ ବର୍ଷ ଧରି ବଦଳି ହୋଇନାହାନ୍ତି । ଜିଲ୍ଲା ଶିକ୍ଷା ବିଭାଗ ବ୍ୟାପକ ସମସ୍ୟାରେ ଛନ୍ଦି ହୋଇପଡିଛି । ବଦଳିଠୁ ନେଇ ଶିକ୍ଷକ ରାଜନୀତି ସବୁଆଡେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏଭଳି ସମୟରେ ଜିଲ୍ଲାପାଳଙ୍କ କଠୋର ଆଭିମୁଖ୍ୟ ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ଚିନ୍ତାର କାରଣ ହୋଇଛି ।
ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ତଥା ଉଚ୍ଚ ବିଦ୍ୟାଳୟ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ରହିଛି । ତେବେ ଦୀର୍ଘ ଦିନ ହେଲା ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡିଥିବା ବେଳେ ଅନେକ ଶିକ୍ଷକଙ୍କ ପଦୋନ୍ନତି ବରିଷ୍ଠତା ଭିତ୍ତିରେ ନହୋଇ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି । ବୌଦ୍ଧ ଭଳି ଜିଲ୍ଲାର ତିନୋଟି ବ୍ଲକରେ ଥିବା ବିଦ୍ୟାଳୟରେ ଶିକ୍ଷକତା କରୁଥିବା କେତେକ ପଡୋଶୀ ଜିଲ୍ଲାର ନକଲି ଶିକ୍ଷକ ଓ ଜାଲ ସାର୍ଟିଫିକେଟ ଧାରୀ ଶିକ୍ଷକ ରହିଥିଲେ ମଧ୍ୟ ବିଭାଗୀୟ ଉଦାସୀନତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଗତ ବର୍ଷ ଏଭଳି କେତେକ ନକଲି ଶିକ୍ଷକଙ୍କ ସମ୍ପର୍କରେ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏଭଳି ଆହୁରି ଅନେକ ଜାଲ ସାର୍ଟିଫିକେଟ ଧାରୀ ଶିକ୍ଷକ ରହିଯାଇଛନ୍ତି । ଏମାନଙ୍କୁ ଶିକ୍ଷା ବିଭାଗର କିଛି ଦୁର୍ନୀତି ଗ୍ରସ୍ତ କର୍ମଚାରୀ ପରୋକ୍ଷରେ ସହଯୋଗ କରୁଥିବା ମଧ୍ୟ ସୂଚନା ମିଳିଛି । କେତେକ ଶିକ୍ଷକ ଖୁଲମଖୁଲା ରାଜନୈତିକ ଛତ୍ରଛାୟାରେ ରହି ନିର୍ଦ୍ଦିଷ୍ଟ ଦଳ ପାଇଁ କାର୍ଯ୍ୟ କରୁଥିବା ମଧ୍ୟ ସବୁବେଳେ ଚର୍ଚ୍ଚା ହେଉଛି ।