ବୌଦ୍ଧ: ମାଇକ୍ରୋ ଫାଇନାନ୍ସ କମ୍ପାନୀର ଦୌରାତ୍ମ୍ୟରେ ଅତିଷ୍ଠ ହିତାଧିକାରୀ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ଅଭିବୃଦ୍ଧିର ପ୍ରଲୋଭନ ଦେଖାଇ ବ୍ୟାପକ ଋଣ ଆଦାୟ ନାଁରେ ଶୋଷଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ସମୟରେ ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସଶକ୍ତିକରଣ ନାଁରେ ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନୀମାନେ ଗାଁ ଗାଁରେ ଏକପ୍ରକାର ଲୁଟ ଚଳାଇଥିବା ବୁଦ୍ଧିଜୀବୀ ଅଭିଯୋଗ କରିବା ସହିତ ଏଭଳି ଫାଇନାନ୍ସ କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଦାବି କରିଛନ୍ତି ।
ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା କୋଡ଼ିଏରୁ ଉର୍ଦ୍ଧ୍ବ ମାଇକ୍ରୋ ଫାଇନାନ୍ସ କମ୍ପାନୀ ନିଜର କାର୍ଯ୍ୟାଳୟ ଖୋଲି ଆର୍ଥିକ ଦେଣନେଣ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଜିଲ୍ଲାର ତିନୋଟି ବ୍ଲକରେ ଏସବୁ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡ଼ିକ ମହିଳା ଗୋଷ୍ଠୀ ମାନଙ୍କୁ ଆର୍ଥିକ ଋଣ ନାଁରେ ଟାର୍ଗେଟ କରି ଆର୍ଥିକ ଅନିୟମିତତା କରୁଥିବା ନେଇ ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ସଦର ମହକୁମା ବୁଟୁପାଲି ଅଞ୍ଚଳରେ ଏଭଳି ମାଇକ୍ରୋ ଫାଇନାନ୍ସ କମ୍ପାନୀର ଅନେକ କାର୍ଯ୍ୟାଳୟ ଛତୁ ଫୁଟିଲା ଭଳି ଖୋଲିବା ସହିତ ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ନାଁରେ ଟାର୍ଗେଟ କରିଛନ୍ତି । ଗାଁ ଗହଳିର ସରଳ ନିଷ୍କପଟ ଲୋକ ବିଶେଷ ଭାବରେ ମହିଳା ଗୋଷ୍ଠୀଙ୍କୁ ଏହି ମାଇକ୍ରୋ ଫାଇନାନ୍ସ କମ୍ପାନୀ ଋଣ ଆକାରରେ ସହାୟତା ଯୋଗାଇ ଦେଉଛନ୍ତି । ଆଉ ଯେଉଁ ମାନେ ଥରେ ଏଭଳି ଫାଇନାନ୍ସ କମ୍ପାନୀର ଜାଲରେ ପଡ଼ିଗଲେ ବାସ ସେଠାରୁ ଆଉ ମୁକୁଳିବା ସହଜ ହେଉନାହିଁ ।