ବୌଦ୍ଧ:ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ସରକାରଙ୍କ ବିକାଶମୂଳକ ଯୋଜନା । ବିକାଶରେ ବାଧକ ସାଜିଛି ପାହାଡ଼ିଆ ଅଞ୍ଚଳ ଝରଣା । ଗମନାଗମନର ଅବ୍ୟବସ୍ଥା ହେତୁ ଟିକରପଡା ପଞ୍ଚାୟତର 7 ଖଣ୍ଡ ଗ୍ରାମର ଅଧିବାସୀ ବର୍ଷା ଋତୁରେ ବିଛିନ୍ନାଞ୍ଚଳବାସୀଙ୍କ ଭଳି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଏସବୁ ଅଞ୍ଚଳକୁ ବିଛିନ୍ନ କରୁଥିବା ପାହାଡିଆ ଝରଣା ଉପରେ ଏକ ସେତୁ ନିର୍ମାଣ ପାଇଁ ବର୍ଷ ଆରମ୍ଭରେ ଶିଳାନ୍ୟାସ କରାଯାଇଥିଲା । ହେଲେ ଏନେଇ କୌଣସି କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ଫଳରେ ପୁଣିଥରେ ବର୍ଷା ଋତୁରେ ଅଞ୍ଚଳର ଅଧିବାସୀ ବିଛିନ୍ନାଞ୍ଚଳର ଜୀବନ ବିତାଇବେ ।
ତେବେ ବିକାଶରେ ବାଧକ ସାଜିଥିବା ପାହାଡିଆ ଝରଣା ଉପରେ କେବେ ନିର୍ମାଣ ହେବ ସେତୁ ? ଏଭଳି କିଛି ପ୍ରଶ୍ନର ଗୋଲକଧନ୍ଦାରେ ଛନ୍ଦି ହୋଇଛନ୍ତି 7 ଖଣ୍ଡ ଗ୍ରାମର ଅଧିବାସୀ । ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ପୁଣିଥରେ ବିଛିନ୍ନାଞ୍ଚଳବାସୀଙ୍କ ଭଳି ଜୀବନ ବିତାଇବାକୁ ବାଧ୍ୟ ହେବେ ବଣପାହାଡ଼ ଘେରା ଅଞ୍ଚଳର ଗ୍ରାମବାସୀ । ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଦମଣ୍ଡା ଓ୍ବାର୍ଡ ଅଧିନରେ ଥିବା ପ୍ରାୟ ସାତଖଣ୍ଡ ଗ୍ରାମର ଅଧିବାସୀଙ୍କ ପାଇଁ ଓକରାସାହି ନାଳ ଦୁଃଖ ଦେଇ ଆସିଛି ।
ବର୍ଷର ଅନ୍ୟ ଦିନରେ ଯେମିତି ସେମିତି ଚଳିଯାଏ । କିନ୍ତୁ ବର୍ଷା ଦିନରେ ଏହି ପାହାଡିଆ ଝରଣାରେ ପ୍ରାୟ ୧୦ଫୁଟ ଉଚ୍ଚରେ ଜଳପ୍ରବାହ ଯୋଗୁଁ ଏସବୁ ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ରହିଥାଏ । ଏସବୁ ଦୁର୍ଗମ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ପହଞ୍ଚି ପାରି ନ ଥିବା ବେଳେ ପ୍ରାଥମିକ ଶିକ୍ଷା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନ ଥିବା ହେତୁ ସେସବୁ ଅଞ୍ଚଳର ଅଧିବାସୀ ଝରଣା ଡେଇଁ ମଲ୍ଲିକପଡା, ବହଲପଡା, ବୁରଗୋରା ଅଞ୍ଚଳକୁ ଆସିଥାନ୍ତି । ଶେଷ ଭାବରେ ଗର୍ଭବତୀ ମହିଳା ଓ ଛୋଟ ପିଲାମାନେ ଅଙ୍ଗନବାଡି କେନ୍ଦ୍ରକୁ ଜୀବନକୁ ବାଜି ଲଗାଇ ଆସିବାକୁ ପଡିଥାଏ ।