ବୌଦ୍ଧ:ଚାଷୀ ଓ ବ୍ୟବସାୟୀଙ୍କ ପାଇଁ କାର୍ଯ୍ୟକ୍ଷମ ହେଲା ଜିଲ୍ଲା ସଦର ମହକୁମାଠାରେ ଥିବା ଆଦର୍ଶ କୃଷି ବଜାର । ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଉଦଘାଟନର 9 ମାସ ପରେଏହି ବଜାର ଏବେ କାର୍ଯ୍ୟକ୍ଷମ ହୋଇଛି। ଚାଷୀଙ୍କ ପାଇଁ ସମ୍ପୂର୍ଣ୍ଣ ଦେୟ ମୁକ୍ତ ରହିବ ଏହି ବଜାର । ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ତଥା ରାଜ୍ୟ ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗୁହା ପୁନମ ଜିଲ୍ଲା ଗସ୍ତରେ ଆସି ଶନିବାର ଆଦର୍ଶ କୃଷି ବଜାର ପରିଦର୍ଶନ କରିଥିଲେ । ଏହି ସମୟରେ ସେ ଚାଷୀ ଓ ବ୍ୟବସାୟୀଙ୍କ ସହିତ ସିଧାସଳଖ କଥା ହୋଇଥିଲେ । ଜିଲ୍ଲାରେ ପ୍ରଥମଥର ପାଇଁ ଏଭଳି ବ୍ୟବସ୍ଥିତ ଢଙ୍ଗରେ ଏକ ବୃହତ କୃଷି ବଜାର ଖୋଲା ଯାଇଥିବାରୁ ଚାଷୀ ତଥା ବ୍ୟବସାୟୀ ବେଶ ଖୁସି ପ୍ରକାଶ କରିଛନ୍ତି ।
ବୌଦ୍ଧ ଜିଲ୍ଲା ସଦର ମହକୁମାର ବାହାରିପଡାଠାରେ ଦୀର୍ଘ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଦୈନିକ ହାଟ ବଜାର ବସୁଥିଲା । ପରିବର୍ତ୍ତିତ ସମୟରେ ଉକ୍ତ ବଜାର ଗଣେଶ ବଜାର ଭାବରେ ପରିଚିତ ହେଲା । ତେବେ ଗତ ତିନି ବର୍ଷ ପୂର୍ବରୁ କୋରୋନା କଟକଣା ପାଇଁ ଉକ୍ତ ଦୈନିକ ବଜାରର ଉଠା ଦୋକାନୀଙ୍କୁ ନିକଟସ୍ଥ ଭୈରବୀ ଖେଳପଡିଆକୁ ସ୍ଥାନାନ୍ତର ହୋଇଥିଲା । ସେହିଦିନଠାରୁ ଗଣେଶ ବଜାରରୁ ଦୈନିକ ବଜାର ଏକ ପ୍ରକାର ଉଠିଗଲା । ଅନେକ ଥର ଗଶେଷ ବଜାରର ବ୍ୟବସାୟୀ ମାନେ ପୂର୍ବବତ ଦୈନିକ ବଜାରକୁ ଫେରାଇବାକୁ ଅନୁରୋଧ କରିଥିଲେ ମଧ୍ୟ ବିଭିନ୍ନ ସମସ୍ୟା କାରଣରୁ ତାହା ଫଳପ୍ରଦ ହୋଇ ପାରିନଥିଲା । ଇତି ମଧ୍ୟରେ ବୌଦ୍ଧ ସହରର ମର୍ଜାକୁଦ ସେତୁଛକ ନିକଟରେ ପ୍ରାୟ ଚାରି କୋଟି ଟଙ୍କା ବ୍ୟୟରେ ଏକ ଭବ୍ୟ ଆଦର୍ଶ କୃଷି ବଜାର ନିର୍ମାଣ କରାଯାଇଥିଲା । ଗତ ଜୁଲାଇ 31 ତାରିଖରେ ଉକ୍ତ ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର ଉଦଘାଟିତ ହୋଇଥିଲେ ମଧ୍ୟ ଚାଷୀଙ୍କ ମଧ୍ୟରେ ବିଭିନ୍ନ ସମସ୍ୟା ଯୋଗୁଁ ତାହା କାର୍ଯ୍ୟକାରୀ ହୋଇ ପାରି ନଥିଲା । ଶେଷରେ ଜିଲ୍ଲା ପ୍ରଶାସନର ଉଦ୍ୟମ ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇ ପାରିଛି ।
ଶନିବାର ଦୈନିକ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଚାଷୀଙ୍କୁ ଅର୍ଥକାରୀ ଫସଲ ସହିତ ଗାଇ, ଛେଳି, କୁକୁଡ଼ା ଚାଷ ପାଇଁ ମଧ୍ୟ ଉଦ୍ୟମ କରାଯାଇଥିଲା । ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ ଆଦର୍ଶ କୃଷି ବଜାରଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସହିତ ଏକ ପଥପ୍ରାନ୍ତ ନାଟକର ଆୟୋଜନ କରାଯାଇଥିଲା । ଟାଉନ୍ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ଚାଷୀମାନଙ୍କୁ ଉତ୍ସାହିତ କରିବା ସହିତ ସରକାରୀ ଯୋଜନାର ସୁଫଳ ନେବାକୁ ଆହ୍ବାନ ଦେଇଥିଲେ ।