ବୌଦ୍ଧ:ଆଜି ଦଶହରା । ଉତ୍ସବ ମୁଖର ଗାଁ ଠୁ ସହର । ଏନେଇ ବୌଦ୍ଧର ବିଭିନ୍ନ ପୂଜା ମଣ୍ଡପରେ ଆଜି ବିଜୟା ଦଶମୀ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ପାରମ୍ପରିକ ରୀତିନୀତିରେ ଅସ୍ତ୍ରଶସ୍ତ୍ର ର ପୂଜନ ଉତ୍ସବ ସହ ଟିହା ଦେଖା ପର୍ବ ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି ।
ଆଜି ବିଜୟା ଦଶମୀ ଉତ୍ସବ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବଳ ଉତ୍ସାହ ମଧ୍ୟରେ ପାଳନ କରାଯାଇଛି । ଜିଲ୍ଲାର ଏକମାତ୍ର ଆଦର୍ଶ ଥାନା ବୌଦ୍ଧ ପୋଲିସ ଥାନାରେ ଦଶହରା ପର୍ବ ପାଳନ କରାଯାଇଛି । ଆଜି ଖାକି ପୋଷାକ ବଦଳରେ ସ୍ବତନ୍ତ୍ର ବସ୍ତ୍ର ପରିଧାନ ପୂର୍ବକ ଦୁର୍ଗାପୂଜା ଓ ଅସ୍ତ୍ର ପୂଜା କରାଯାଇଥିଲା । ଏଭଳି ପଦକ୍ଷେପ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବାବେଳେ ପାରମ୍ପରିକ ଶୈଳୀରେ ଖଣ୍ଡା ଓ ବନ୍ଧୁକ ପୂଜାର୍ଚ୍ଚନା କରାଯାଇଥିଲା । ସେହିପରି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପ ଓ ଶକ୍ତି ପୀଠରେ ଶ୍ରଦ୍ଧାଳୁ ମାନେ ଅସ୍ତ୍ର ପୂଜନ କରିଥିଲେ । ଆଜି ମଧ୍ୟ ଅନେକ ସ୍ଥାନରେ ଦଶହରା ଅନୁକୂଳ ସହିତ ଶୁଭ ଅନୁକୂଳ ପାଇଁ ଟିହା ଦେଖା ପର୍ବ ପାଳନ କରାଯାଇଥିଲା ।
ଦଶହରା ଅନୁକୂଳ ସହ ଅସ୍ତ୍ରଶସ୍ତ୍ର ପୂଜାର୍ଚ୍ଚନା ପରମ୍ପରା ବହୁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଥିବା ବେଳେ ଗଡ଼ଜାତ ଶାସନ କାଳରେ ବୌଦ୍ଧ ରାଜ୍ୟରେ ଦଶହରା ଉତ୍ସବର ଏକ ସ୍ବତନ୍ତ୍ର ମାହାତ୍ମ୍ୟ ରହିଥିଲା । ଦେବୀ କନକ ଦୁର୍ଗାଙ୍କ ପାଟ ଖଣ୍ଡା ଓ ପାଟ ଛତ୍ର ସାରା ନଗର ପରିକ୍ରମା କରାଯାଉଥିଲା । ବିଜୟା ଦଶମୀ ଦିନ ସକାଳୁ ଟିହା ଦେଖା ପର୍ବ ପାଳନ କରାଯାଉଥିବା ବେଳେ ଅପରାହ୍ନରେ ଦଶହରା ପଦା ଠାରେ ଲାଖ ବିନ୍ଧା,ତୋପ ଚାଳନା, ତରବାରୀ ଚାଳନା, ଧନୁତୀର ଚାଳନା ଭଳି ବିଭିନ୍ନ ପାରମ୍ପରିକ କୌଶଳ ପ୍ରଦର୍ଶନ ସହିତ ଦଶହରା ଅନୁକୂଳ କରାଯାଉଥିଲା । ଏନେଇ ବୌଦ୍ଧର ଶତାୟୁ ସ୍ବାଧିନତା ସଂଗ୍ରାମୀ ନିଜ ଅନୁଭୂତି ବର୍ଣ୍ଣନା କରିଛନ୍ତି ।