ବୌଦ୍ଧ: ପୁଣି ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ । କିଛି ଦିନ ତଳେ ଗଞ୍ଜେଇ ଚାଷ ପାଇଁ ମୁଲଚାଲ କରି ଛ‘ ଲକ୍ଷ ଟଙ୍କା ନେଉଥିବା ବେଳେ ଟଙ୍କା ସହିତ ଜଣେ ପୋଲିସ କର୍ମଚାରୀ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ । ଆଜି ପୁଣି ଜଣେ ଲାଞ୍ଚୁଆ ପୋଲିସ ବାବୁ ଫୋନ୍-ପେ ମାଧ୍ୟମରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣକାରୀଙ୍କୁ ଅନୁକମ୍ପା ଦେଖାଇ ଏଭଳି ଲାଞ୍ଚ କାରବାର କରାଯାଉଥିବା ଅଭିଯୋଗ ହୋଇଛି । ବାଉଶୁଣୀ ଥାନାରେ କାର୍ଯ୍ୟରତ ବିକ୍ରମ କେଶରୀ ଦେହୁରୀ ନାମକ କର୍ମଚାରୀ ଲାଞ୍ଚ ନେଇ ଏବେ ହରଡ଼ଘଣାରେ ପଡ଼ିଛନ୍ତି ।
ଲାଞ୍ଚୁଆ ପୋଲିସ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ । ଗତ କିଛି ଦିନ ତଳେ ବୌଦ୍ଧ ଜିଲ୍ଲାର ବଘିଆପଡା ଫାଣ୍ଡି ଅନ୍ତର୍ଗତ ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ହେବାର ସୁରାକ୍ ପାଇ ପୋଲିସ ପହଞ୍ଚି ଥିଲା । କିନ୍ତୁ ସେଠି ଦୋଷୀକୁ ଧରିବା ବଦଳରେ ମୁଲଚାଲ କରି ଛ‘ ଲକ୍ଷ ଟଙ୍କା ନେଉଥିବା ବେଳେ ଟଙ୍କା ସହିତ ଜଣେ ପୋଲିସ କର୍ମଚାରୀଙ୍କୁ ଭିଜିଲାନ୍ସ କାବୁ କରିଥିଲା । ଜିଲ୍ଲା ପୋଲିସର ପିଛା ଛାଡ଼ିବାର ନାଁ ଧରୁ ନାହାନ୍ତି ଭିଜିଲାନ୍ସ । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ଯୋଗୁଁ ଜିଲ୍ଲାର ପୋଲିସ ବିଭାଗରେ ଲାଞ୍ଚ କାରବାର ଓ ଦୁର୍ନୀତି ବୃଦ୍ଧି ପାଇବାରେ ଲାଗିଛି । କେବଳ ଦଶହରା ସମୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ଵର ପିସି କାରବାର ହେଉଛି । ଏଭଳି ଭାବେ କିଛି ପୋଲିସ କର୍ମଚାରୀ ପିସି ନେବା କଥା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।