ବୌଦ୍ଧ:ଦଣ୍ଡଯାତ୍ରାକୁ ନେଇ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ । ହେଲେ ଏହି ଦଣ୍ଡ ଯାତ୍ରା ଆରମ୍ଭରୁ ଘଟିଛି ଅଘଟଣ । ଦଣ୍ଡ ଯାତ୍ରାର ଅୟମାରମ୍ଭ ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୮ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାକୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।
ଦଣ୍ଡଯାତ୍ରାର ଉନ୍ମେଷ ଭୂମି ଭାବରେ ପରିଚିତ ବୌଦ୍ଧ ଜିଲ୍ଲାରେ ଦଣ୍ଡ ଯାତ୍ରାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ଶୈବପୀଠରୁ ଏହି ଦଣ୍ଡ ଯାତ୍ରା ଦଳ ଚୈତ୍ର ମାସରେ ଉଠିବା ସହିତ ଷୋହଳ ସୁଆଙ୍ଗ ନୃତ୍ୟ ସଂଗୀତ ପାଇଁ ବେଶ ପ୍ରସିଦ୍ଧି ଲାଭ କରି ଆସିଛି । ଜିଲ୍ଲାର ସିଦ୍ଧପୁର, ଭୈରବୀ, ଚାରିଶମ୍ଭୁ, ଚଣ୍ଡିଗଡ, ଗୁପ୍ତେଶ୍ବର ଭଳି ଦଣ୍ଡ ଯାତ୍ରା ଦଳ ବେଶ ସୁନାମ ରଖିଥିବା ବେଳେ ଶତାଧିକ ବର୍ଷରୁ ଚଣ୍ଡିଗଡ ଦଣ୍ଡ ଯାତ୍ରା ଦଳର ଏକ ସ୍ବତନ୍ତ୍ର ପରିଚୟ ରହି ଆସିଛି ।
ହେଲେ ଗତ ଶନିବାର ଦିନ ଏହି ଚଣ୍ଡିଗଡ ଦଣ୍ଡଯାତ୍ରାର ଅୟମାରମ୍ଭ ହୋଇଥିବା ବେଳେ ରବିବାର ଦିନ ଚଣ୍ଡିଗଡ ଗ୍ରାମର ଗଡତିଆ ବା ଜମିଦାରଙ୍କ ଗୃହରୁ ଆରମ୍ଭ ହେବା ପରମ୍ପରା ରହିଥିଲା । କିନ୍ତୁ ଗ୍ରାମରେ ଅଶୌଚ କାରଣରୁ ଦଣ୍ଡ ଦଳ ପଡୋଶୀ ଗ୍ରାମରେ ଅୟମାରମ୍ଭକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିବା ସୂଚନା ମିଳିଛି । ଯେଉଁ ଥିରେ ଆଠଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।