ବୌଦ୍ଧ: ବାଣ ବିସ୍ଫୋରୋଣରେ ଦୁଇ ନାବାଳକ ଛାତ୍ର ଗୁରୁତର । ବୌଦ୍ଧ ଜିଲ୍ଲାର ସାମ୍ପୋଚ ଗ୍ରାମରେ ଏକ ବିବାହ ଉତ୍ସବର ରହିଯାଇଥିବା ଅଫୁଟା ବାଣ ଫୁଟି ଦୁଇ ନାବାଳକ ଛାତ୍ର ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ, ସାମ୍ପୋଚ ଗ୍ରାମରେ ଗତ ତିନିଦିନ ତଳେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସେଥିରେ ବ୍ୟବହୃତ ବାଣ ମଧ୍ୟରୁ କେତେକ ଅଫୁଟା ବାଣ ରାସ୍ତାରେ ପଡି ରହିଥିଲା । ରବିବାର ଛୁଟି ଥିବାରୁ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଚନ୍ଦନ ବେହେରା ଓ ତପନ ନାୟକ ଉକ୍ତ ଅଫୁଟା ବାଣରେ ଅଗ୍ନି ସଂଯୋଗ କରିଥିଲେ । ଫଳରେ ହଠାତ୍ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ଉକ୍ତ ଦୁଇ ଜଣ ଛାତ୍ର ଆହତ ହୋଇ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।