ଭଦ୍ରକ: ଅପହରଣ ପରେ ମୁଣ୍ଡ ଜାମିନ ରଖିଥିବା ଯୁବକଙ୍କୁ ଉଦ୍ଧାର କଲା ଚାନ୍ଦବାଲି ପୋଲିସ । ଜିଲ୍ଲା ଚାନ୍ଦବାଲି ଥାନା ମତୋ ବିଜେପି କାର୍ଯ୍ୟାଳୟରୁ ଦୁଇ ଯୁବକଙ୍କୁ ଅପହରଣ କରି 5 ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ । ଆହତ ଅବସ୍ଥାରେ ନଳଗୋହିରା କୁଆଁରିକାନ୍ତି ଗାଁର ଏକ ଚିଙ୍ଗୁଡି ଘେରିରୁ ଉଦ୍ଧାର କଲା ଚାନ୍ଦବାଲି ପୋଲିସ । ଉଦ୍ଧାର ହୋଇଥିବା ଦୁଇ ଯୁବକ ହେଲେ ପୀରହାଟ ଥାନା ଅନ୍ତର୍ଗତ କମାରିଆ ଗାଁର ଶଶଧର ମଲ୍ଲିକ ଓ ଅସୁରାଳି ହାତିଆପଡା ଗାଁର ପ୍ରମୋଦ ପଣ୍ଡା ।
ସୂଚନାଅନୁସାରେ, ଦୁଇ ଯୁବକଙ୍କୁ ଅପହରଣ କରି 5 ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ । ବୁଧବାର ଅପହରଣକାରୀଙ୍କ ଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଚାନ୍ଦବାଲି ପୋଲିସ । ଅପହରଣ ହୋଇଥିବା ଯୁବକମାନେ ଚିଙ୍ଗୁଡି ଚାଷରେ ବ୍ୟବହୃତ ଔଷଧ ବିକ୍ରି କରିବା ସହିତ ଟେକନିସିଆନ ଭାବେ ଚାନ୍ଦବାଲି ଅଞ୍ଚଳରେ କାମ କରୁଥିଲେ । ଉଭୟଙ୍କୁ କାବୁ କରିବା ପରେ ଭୟଭିତ କରାଇ ଏକ ନିଛାଟିଆ ଚିଙ୍ଗୁଡି ଘେରିରେ ରଖି 5 ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ଦେବା ସହିତ ନିର୍ମମ ଭାବେ ମାଡ ମରା ଯାଇଥିବା ଅଭିଯୋଗ ହୋଇଛି ।
ଶଶଧରଙ୍କ ସ୍ତ୍ରୀ ସୁସ୍ମିତା ସାହୁ ଚାନ୍ଦବାଲି ଥାନାରେ ଏତଲା ଦେବାପରେ ମୋବାଇଲ ଟ୍ରାକିଂ ଜରିଆରେ ଶଶଧର ଓ ପ୍ରମୋଦଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ଯାଉଥିବାର ଖବର ପାଇ ଦୁଇ ଅପହରଣକାରୀ ଚିଙ୍ଗୁଡି ଘେରିରୁ କୁଆଡେ ଫେରାର ହୋଇ ଯାଇଛନ୍ତି । ଦୁଇ ଅପହୃତଙ୍କୁ ଉଦ୍ଧାର କରିବା ପରେ ଚାନ୍ଦବାଲି ପୋଲିସ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଇ ବୟାନ ରେକର୍ଡ଼ କରିଥିଲା । ଏହାପରେ ଉଭୟଙ୍କୁ କଡା ସୁରକ୍ଷା ମଧ୍ଯରେ ଘରକୁ ଆଣି ଛାଡିଥିଲା ପୋଲିସ । ଏହି ଘଟଣାକୁ ନେଇ ପୋଲିସ ବିଜେପି କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିବା କରି ଅଧିକ ତଦନ୍ତ ଚଳାଇଛି । ତେବେ ଅପହରଣକାରୀଙ୍କୁ ଧରିବା ଲାଗି ଏକ ସ୍ୱତନ୍ତ୍ର ଟିମ ଗଠନ କରା ଯାଇଥିବା କହିଛନ୍ତି ଚାନ୍ଦବାଲି ଏସଡିପିଓ ।