ଭଦ୍ରକ:ଚୋରା ବେଆଇନ ମଦ କାରବାର ବିରୋଧରେ ମହିଳାଙ୍କ ବିକ୍ଷୋଭ । ମଦ ବିକ୍ରି କରୁଥିବା ବେପାରୀଙ୍କୁ ପୋଲିସ ସମର୍ଥନ କରୁଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହିଳା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଜିଦରଡା ଫାଣ୍ଡି ଅଧୀନରେ ଥିବା ଆହାରପଦା ଗ୍ରାମର ମହିଳାମାନେ ବେଆଇନ ମଦ କାରବାରକୁ ବିରୋଧ କରି ପ୍ରତିବାଦ କରିଛନ୍ତି ।
ସୂଚନା ଅନୁଯାୟୀ ଖଣ୍ଡତରା ପଞ୍ଚାୟତ ଅନ୍ତର୍ଗତ ଆହାରପଦା ଗ୍ରାମର ଜନୈକ ବ୍ୟକ୍ତି ଚୋରାରେ ବେଆଇନ ଭାବେ ବିଭିନ୍ନ ମଦ ତଥା ଅନ୍ୟାନ୍ୟ ନିଶା ଦ୍ରବ୍ୟ ଆଣି ଏକ କ୍ୟାବିନରେ ଗଚ୍ଛିତ କରି ରଖନ୍ତି । ପରେ ସେସବୁକୁ ବିକ୍ରି କରନ୍ତି । ଫଳରେ ସ୍ଥାନୀୟ କିଛି ଲୋକ ତଥା ବିଶେଷକରି ଯୁବକମାନେ ସେଠାରୁ ମଦ କ୍ରୟ କରି ପିଇବା ସହିତ ବିଭିନ୍ନ ଅପରାଧିକ ଘଟଣାରେ ଜଡିତ ହେଉଛନ୍ତି । ସ୍ଥାନୀୟ ଝିଅ ତଥା ମହିଳାମାନଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମର ମହିଳାମାନେ ଗୁଜିଦରଡା ଫାଣ୍ଡି ତଥା ଅବକାରୀ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ ଫଳଶୂନ। ପୋଲିସ ଏହି ବେଆଇନ ମଦ ବେପାରୀଙ୍କଠାରୁ ବଟି ନେଇ ଚୁପ ବସୁଥୁବା ମହିଳାମାନେ ଅଭିଯୋଗ କରିଛନ୍ତି । ଏହିପରି ସ୍ଥିତିରେ ସ୍ଥାନୀୟ ମହିଳାମାନେ ଅତିଷ୍ଠ ହୋଇ ଶେଷରେ ଏକତ୍ରୀତ ଭାବେ ଘରୁ ବାହାରି ଏହାର ପ୍ରତିବାଦ କରିଥିଲେ ।
ବେଆଇନ ଭାବେ ବିଭିନ୍ନ ମଦ ତଥା ଅନ୍ୟାନ୍ୟ ନିଶାଦ୍ରବ୍ୟ ଗଚ୍ଛିତ କ୍ୟାବିନକୁ ଭଙ୍ଗାରୁଜା କରିବା ସହ କ୍ୟାବିନକୁ ଓଲଟାଇ ଦେଇଥିଲେ । ଏଥିସହ ସେଠାରେ ଥିବା ମଦ ଗୁଡିକୁ ଫୋପାଡି ନଷ୍ଟ କରିଥିଲେ । ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି କ୍ରମଶଃ ଅଣାୟତ୍ତ ହୋଇଥିଲା । ଖବର ପାଇ ଗୁଜିଦରଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରତିବାଦ କରୁଥିବା ମହିଳାମାନଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ମହିଳାମାନେ ବୁଝିବା ପରିବର୍ତ୍ତେ ଉତକ୍ଷିପ୍ତ ହୋଇ ବେଆଇନ ମଦ କାରବାର କରିବା ପାଇଁ ଗୁଜିଦରଡା ଫାଣ୍ଡି ପୋଲିସ ଦାୟୀ ବୋଲି କହିଥିଲେ। ତେଣୁ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା ।