ଭଦ୍ରକ: ସମାଜ ସେବାରେ ନିଆରା ନିଦର୍ଶନ । ଲୋକ ପ୍ରତିନିଧି ନହୋଇ ମଧ୍ୟ ନିଜସ୍ବ ଉଦ୍ୟମରେ ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରି ଚର୍ଚ୍ଚାରେ ମହିଳା ଚାଷୀ । ଚାଷୀଙ୍କ ଦୁଃଖକୁ ବୁଝିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲୁଙ୍ଗା ଗ୍ରାମର 62 ବର୍ଷୀୟା ଛାୟାରାଣୀ ସାହୁ।
ମହିଳା ଚାଷୀ ଭାବେ ଜଣାଶୁଣା ଛାୟାରାଣୀ
ଜଣେ ମହିଳା ଚାଷୀ ଭାବେ ନିଜ କ୍ଷେତରେ ପାୱାର ଟିଲର ଭଳି ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଚଳାଇବାରେ ସେ ଧୁରନ୍ଧର । ଚଳିତବର୍ଷ ଭଦ୍ରକ ଜିଲ୍ଲାରେ ପ୍ରବାହିତ ବୈତରଣୀ, କୋଚିଳା, ଗେଙ୍ଗୁଟି, ସାଳନ୍ଦୀ ଆଦି ନଦୀରେ ବନ୍ୟା ଆସିବା ଫଳରେ ବ୍ୟାପକ ଗାଁ ଗଣ୍ଡା ଏବଂ ଜନବସତିକୁ ବନ୍ୟାପ୍ଲାବିତ କରିଥିଲା । ବିଶେଷକରି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର ଏବଂ ଚାନ୍ଦବାଲି ବ୍ଲକ ଅଞ୍ଚଳର କେତେକ ନଦୀକୁଳିଆ ଗାଁରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା (flood situation in bhadrak) । ଲଗାତାର ଭାବେ ଦୁଇଟି ବନ୍ୟା ଆସିବା ଫଳରେ କେତେକ ଅଞ୍ଚଳବାସୀ ପ୍ରାୟ ସପ୍ତାହରୁ ଉର୍ଦ୍ଧ୍ବ ସମୟ ଧରି ପାଣି ଘେରରେ ରହିଥିଲେ ।
ଏହି ସମୟରେ ଲୋକମାନେ ଖାଦ୍ୟ ପାନୀୟ ଜଳଠାରୁ ଆରମ୍ଭ କରି ବହୁ ସମସ୍ୟାର ସାମ୍ନା କରିଥିଲେ । ତେବେ ବନ୍ୟା ପାଣି ଛାଡିବା ପରେ ଅଦ୍ୟାବଧି ପ୍ରଭାବିତ ଲୋକମାନେ ବିଭିନ୍ନ ସମସ୍ୟା ମଧ୍ୟରେ ଥିବା ଜଣାପଡ଼ିଛି। ଠିକ ଏହି ସମୟରେ ନିଜର ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିବା ପାଇଁ ମହିଳା ଚାଷୀ ଛାୟାରାଣୀ ଧାମନଗନର ଅଞ୍ଚଳରେ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଥିଲେ । ଲୋକଙ୍କ ଦୁର୍ଦ୍ଦଶା ବୁଝି ସେମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:କମୁଛି ବୈତରଣୀର ଜଳସ୍ତର, ତଳିଆ ଅଞ୍ଚଳରୁ ଛାଡୁନି ପାଣି