ଭଦ୍ରକ: ବିବାହ ପରେ ବି ପ୍ରେମକୁ ଭୁଲିପାରିଲେନି ମହିଳା । ପ୍ରେମକୁ ପାଇବା ପାଇଁ ସ୍ବାମୀ ହତ୍ୟାର ରଚିଲେ ଷଡଯନ୍ତ୍ର । ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା ଉଦ୍ୟମ କଲା ସ୍ତ୍ରୀ । ଯେଉଁ ହାତ ଧରି ସାତ ଜନ୍ମର ସାଥି ହେବ ବୋଲି କଥା ଦେଇଥିଲା ସେଇ ହାତରେ ଭୁଜାଲି ଧରି ସ୍ବାମୀକୁ ହତ୍ୟା ଉଦ୍ୟମ କରିବାକୁ ପଛାଇଲା ନାହିଁ ସ୍ତ୍ରୀ । ପ୍ରାୟ ୫୦ ଥର ଭୁଜାଲିରେ ଆକ୍ରମଣ ପରେବି ଅଳ୍ପକେ ବର୍ତ୍ତି ଯାଇଥିଲେ ମହିଳାଙ୍କ ସ୍ବାମୀ । ହତ୍ୟା ଉଦ୍ୟମ ପରେ ଘଟଣାସ୍ଥଳରୁ ପ୍ରେମିକ ସହ ଚମ୍ପଟ ମାରିଲା ସ୍ତ୍ରୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଞ୍ଚଳରେ । ଆହତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବାସୁଦେବପୁର ଥାନା ଅଧିନ କମାରଗାଁର ଶମ୍ଭୁନାଥ ଦଳେଇ ସାବରଙ୍ଗ ଥାନା ଏରଡାର ଲିଜାଙ୍କୁ ବିବାହ କରିଥିଲେ । କିନ୍ତୁ ଲିଜାଙ୍କର ବିବାହ ପୂର୍ବରୁ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଭଦ୍ରକ ଗ୍ରାମାଞ୍ଚଳ ଥାନା ବଣିଆ ଅଞ୍ଚଳର ରବିଙ୍କୁ ଭଲ ପାଉଥିଲେ ଲିଜା । ତେବେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସତ୍ତ୍ବେ ଲିଜା ଶମ୍ଭୁନାଥଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ସନ୍ତାନ ମଧ୍ୟ ରହିଛନ୍ତି । କିନ୍ତୁ ବିବାହ ପରେବି ପ୍ରେମିକକୁ ଭୁଲି ପାରିନଥିଲେ ଲିଜା । ଶେଷରେ ସ୍ବାମୀକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲେ ।