ଭଦ୍ରକ: କାଳହେଲା ପରିବାର ନିୟୋଜନ ଅପରେସନ । ଜନ୍ମ ନିୟନ୍ତ୍ରଣ ପାଇଁ ଅପରେସନ କରାଇଲେ । ହେଲେ ଚାଲିଗଲା ମହିଳାଙ୍କ ଜୀବନ । ଭଦ୍ରକ ଜିଲ୍ଲାରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଅଗରପଡା ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମର ଜୟନ୍ତୀ ବେଜ । ଭୁଲ ଅପରେସନ ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଔପଦା ଥାନା ଗଡ଼ସାହି ଗ୍ରାମର ଯଶୋବନ୍ତ ବାରିକଙ୍କ ସ୍ତ୍ରୀ ଜୟନ୍ତୀ ବାପା ଘର ଭଦ୍ରକ ଜିଲ୍ଲା ଅଗରପଡା ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମକୁ ବୁଲିବାକୁ ଆସିଥିଲେ । ସ୍ଥାନୀୟ ଜଣେ ଆଶାକର୍ମୀ ତାଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର କରିବା ପାଇଁ ପ୍ରବର୍ତ୍ତାଇଥିଲେ । ଏଥିରେ ଜୟନ୍ତୀ ପ୍ରଭାବିତ ହୋଇ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ହୋଇଥିବା ପରିବାର ନିୟୋଜନ ଅସ୍ତ୍ରୋପଚାର ଶିବିରକୁ ଆଶାକର୍ମୀଙ୍କ ସହ ଆସିଥିଲେ । ଅସ୍ତ୍ରୋପଚାର ପରେ ସନ୍ଧ୍ୟାରେ ତାଙ୍କର ପେଟରେ ଯନ୍ତ୍ରଣା ହୋଇଥିଲା । ପେଟ ଫୁଲିବା ସହ ବାନ୍ତି ମଧ୍ୟ ହୋଇଥିଲା । ତେବେ ଅସ୍ତ୍ରୋପଚାର ପରେ ଏମିତି ହୁଏ ବୋଲି କହି ଡାକ୍ତର ତାଙ୍କୁ ଘରକୁ ପଠାଇ ଦେଇଥିଲେ । ହେଲେ ଘରେ ପହଞ୍ଚିବା ପରେ ଯନ୍ତ୍ରଣା ନକମିବାରୁ ଜୟନ୍ତୀଙ୍କୁ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଏକ ଡାକ୍ତରୀ ଦଳ ତାଙ୍କର ପୁନଃ ଅସ୍ତ୍ରୋପଚାର କରିଥିଲେ । ମାତ୍ର ଜୟନ୍ତୀଙ୍କ ଅବସ୍ଥା ସୁଧୁରିବା ପରିବର୍ତ୍ତେ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ କଟକରେ ଚିକିତ୍ସାଧିନ ଅବସ୍ଥାରେ ଜୟନ୍ତୀଙ୍କର ମୃତ୍ୟୁ ଘଟିଛି ।