ଭଦ୍ରକ:ଲଗାଣ ବର୍ଷାରେ ବେହାଲ ଭଦ୍ରକ । ଜିଲ୍ଲାରେ ଶୁକ୍ରବାର ରାତିରୁ ବର୍ଷା ଲାଗି ରହିଛି । ବିଜୁଳି ଘଡ଼ ଘଡି ସାଙ୍ଗକୁ ହେଉଛି ବର୍ଷା । ତଳିଆ ଅଞ୍ଚଳରେ ପାଣି ଜମିବା ଆରମ୍ଭ ହେଲାଣି । ଡ୍ରେନେଜ ସୁବିଧା ନ ଥବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ବର୍ଷା ପାଇଁ ସହରର ଅନେକ ଦୋକାନ ବଜାର ବନ୍ଦ ରହିଛି । ରାସ୍ତାଘାଟ ବି ଶୁନ୍ଶାନ୍ ରହିଛି । ଲୋକେ ବାହାରକୁ ବାହାରିବା ବି ମୁସ୍କିଲ ହୋଇଯାଇଛି। ଏପିରିକି ଲଗାଣ ବର୍ଷା ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଆଉଟ ଡୋରରେ ଜମିଛି ପାଣି । ଏନେଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ବିଲରେ ପାଣି ମାଡିବା ଫଳରେ ଚାଷୀକୂଳ ଚାଷ କରିବା ପାଇଁ ଆଶ୍ୱସ୍ତ ହେବେ ବୋଲି ଅନୁମାନ କରାଯାଉଛି । ପାଣି ପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଚଳିତ ମାସ 23 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ଯାହାକି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ଏହିପରି ବର୍ଷା ହେଉଥିବା ଜଣାପଡ଼ିଛି । ତେବେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏହି ଘୂର୍ଣ୍ଣିବଳୟ ସ୍ଥିର ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବା ସୂଚନା ମିଳିଛି । ତେଣୁ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିବ । ପରବର୍ତ୍ତୀ ସମୟରେ 19 ତାରିଖ ଦିନ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ବର୍ଷାର ମାତ୍ରା ବୃଦ୍ଧି ପାଇବ ବୋଲି ଜଣାପଡିଛି ।