ଭଦ୍ରକ:ଜେଲ୍ରୁ ବିଚାରାଧୀନ କଏଦୀଙ୍କ ଫେରାର ଉଦ୍ୟମ ବିଫଳ। ପାଇଖାନା ଟାଙ୍କିର ପାଇପ ସାହାଯ୍ୟରେ ଜେଲ୍ରୁ ଚମ୍ପଟ ମାରିଥିଲା କଏଦୀ ଜଣଙ୍କ । ମାତ୍ର ଅଧା ବାଟରେ ମାଡିବସିଲେ ଜେଲର ସୁରକ୍ଷାକର୍ମୀ । ସିସିଟିଭିରେ କଏଦ ହୋଇଛି ଏହି ସମୟର ଭିଡିଓ । ଏହି ଘଟଣା ଭଦ୍ରକ ଜିଲ୍ଲା ସ୍ବତନ୍ତ୍ର ଉପ-କାରାଗାରରେ ଘଟିଛି ।
ଭଦ୍ରକ ଉପ-କାରାଗାରରୁ ଖସିଯାଉଥିଲା କଏଦୀ, ଫିଲ୍ମ ଷ୍ଟାଇଲରେ ଧରିଲା ପୋଲିସ ସୂଚନା ଅନୁଯାୟୀ ଭଦ୍ରକ ସ୍ବତନ୍ତ୍ର ଉପ-କାରାଗାରରୁ କଏଦୀ ଜଣଙ୍କ ଫେରାର ହେବାକୁ ଚେଷ୍ଟା କରୁଥିଲେ । ପିରାହାଟ ଥାନା ଅନ୍ତର୍ଗତ ଅକ୍ଷୟ ମଲ୍ଲିକ ନାମକ ବ୍ୟକ୍ତି 354 ଦଫାରେ ଜେଲ୍ରେ ରହିଛନ୍ତି । ଅକ୍ଟୋବର 20ତାରିଖରେ ପିରାହାଟ ଥାନା ଅକ୍ଷୟଙ୍କୁ କୋର୍ଟ ଫରୱାର୍ଡ କରିଥିଲା । ବେଲ୍ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା ।
ତେବେ ଅକ୍ଷୟ ଦିନ ଦିପ୍ରହରରେ ଶୌଚ ପାଇଁ ପାଇଖାନା ଯିବାକୁ କହିଥିଲେ । ପାଇଖାନା ଯିବାବେଳେ ହଠାତ ପାଇଖାନା ଉପରକୁ ଉଠି ପାଇପ ସାହାଯ୍ୟରେ ଜେଲ ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ । ତେବେ ଜେଲର ସୁରକ୍ଷାକର୍ମୀ ସୂଚନା ପାଇ ଅକ୍ଷୟଙ୍କୁ ଗୋଡ଼ାଇଥିଲେ ।
ଜେଲ୍ ନିକଟରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ ଲୁଗା ଦୋକାନ ସମ୍ମୁଖରେ ରହିଥିବା ଏକ ଅଟୋ ଭିତରେ ଲୁଚି ଯାଇଥିଲେ । ଲୁଗା ଦୋକାନୀ କର୍ମଚାରୀ ଓ ଜେଲ କର୍ମଚାରୀମାନେ ମିଶି ଖସି ଯାଇଥିବା କଏଦୀକୁ ଧରିବାରେ ସଫଳ ହୋଇଥିଲେ। ତାଙ୍କୁ କାବୁ କରି ପୁଣି ଜେଲ୍କୁ ନିଆଯାଇଛି। ଏନେଇ ଭଦ୍ରକ ସ୍ବତନ୍ତ୍ର ଉପ କାରାଗାରର ଅଧିକାରୀଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ