ଭୁବନେଶ୍ବର: 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଭଦ୍ରକ ଗସ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଭଦ୍ରକ ଗସ୍ତ କରିବା ସହ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହାସହ ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି ପାଣ୍ଡିଆନ ।
ଭଦ୍ରକ ଗସ୍ତ ସମୟରେ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପ୍ରଥମେ ଓଡିଶାର ପ୍ରସିଦ୍ଧ ଶୈବ କ୍ଷେତ୍ର ଆରଡିରେ ବାବା ଆଖଣ୍ଡଳମଣୀଙ୍କୁ ପୂଜାର୍ଚ୍ଚନା ସହ ଦର୍ଶନ କରିଛନ୍ତି । ଏହା ପରେ ମନ୍ଦିର ତଥା ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ମନ୍ଦିର ପ୍ରକଳ୍ପ ପାଇଁ ୪୮ କୋଟି ଟଙ୍କା ମଞ୍ଜୁର ହୋଇଛି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରକଳ୍ପ କାମ ଯଥାଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ବିଷୟରେ ସମୀକ୍ଷା କରିଛନ୍ତି ।
ତେବେ ଭଦ୍ରକରେ କରାଯିବାକୁ ଥିବା ୮୯୩ କୋଟି ଟଙ୍କା ବ୍ୟୟରେ ଚାନ୍ଦବାଲି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ, ୧୦୦ କୋଟି ଟଙ୍କା ବ୍ୟୟରେ ଭଦ୍ରକ ରିଂ ରୋଡ ନିର୍ମାଣ ପ୍ରକଳ୍ପ, ୪୮୦ କୋଟି ଟଙ୍କା ବ୍ୟୟରେ ଆଖୁଆପଦାରେ ସମନ୍ୱିତ ନଦୀଗର୍ଭ ଜଳାଶୟ ପ୍ରକଳ୍ପ, ୧୬୪ କୋଟି ଟଙ୍କା ବ୍ୟୟରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜର ୧୦୦ ଶଯ୍ୟା ବିଶିଷ୍ଟ Super Speciality Hospital ନିର୍ମାଣ, ୪୭ କୋଟି ଟଙ୍କା ବ୍ୟୟରେ ବାସୁଦେବପୁରର ଚୂଡାମଣୀରେ ବନ୍ଦର ନିର୍ମାଣ, ୪୧ କୋଟି ଟଙ୍କା ବ୍ୟୟରେ ପୁରୁଣା ବଜାରରୁ ଗୁଜିଦରତା ଭାୟା ମା’ଭଦ୍ରକାଳୀ ମନ୍ଦିର ରାସ୍ତା ନିର୍ମାଣ ଏବଂ ୨୭ କୋଟି ଟଙ୍କା ବ୍ୟୟରେ ଧାମରା ଜେଟି ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ସବୁ ପ୍ରକଳ୍ପଗୁଡିକ ମଧ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ସମ୍ପୃକ୍ତ ପଦାଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।