ଭଦ୍ରକ: ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେଡି ନେତା ତଥା 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଧାମନଗର ନିର୍ବାଚନ ମଣ୍ଡଳୀରେ ଉଦ୍ବୋଧନ ଦେବାବେଳେ ଧର୍ମେନ୍ଦ୍ରଙ୍କ ନାଁ ନଧରି ତାଙ୍କୁ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନ । ବିଜେପି ପ୍ରାର୍ଥୀ ନିର୍ବାଚନ ଜିତିଲେ, ହେଲେ ଧର୍ମେନ୍ଦ୍ର ଧାମନଗରବାସୀଙ୍କୁ ଧନ୍ୟବାଦ ଦେବାକୁ ଭୁଲିଗଲେ ବୋଲି ସେ କହିଛନ୍ତି । ପ୍ରଚାର ବେଳେ ୫ ଥର ଆସି ଶହଶହ ମିଛ ପ୍ରତିଶ୍ରୁତି ଦେଇଥିଲେ, ହେଲେ ଦେଖା ଦେଲେନି ବୋଲି ପାଣ୍ଡିଆନ କହିଛନ୍ତି ।
ଧାମନଗର ଗସ୍ତ ବେଳେ ପାଣ୍ଡିଆନ କହିଛନ୍ତି, "୧୧ ମାସ ତଳେ ଧାମନଗର ଉପନିର୍ବାଚନ ହୋଇଥିଲା । ବିଜେପି ପ୍ରାର୍ଥୀଙ୍କ ପ୍ରଚାରର ମଙ୍ଗ ଧରିଥିଲେ ଧର୍ମେନ୍ଦ୍ର । ସେ ପ୍ରଚାର ସମୟରେ ପାଞ୍ଚ ପାଞ୍ଚ ଥର ଧାମନଗର ଆସି ଶହଶହ ପ୍ରତିଶ୍ରୁତି ଦେଇଥିଲେ । ନିର୍ବାଚନ ସରିଲା ଓ ତାଙ୍କ ପ୍ରାର୍ଥୀ ଜିତିଲେ । କିନ୍ତୁ ତା’ପରଠୁ ପ୍ରଚାରର ମଙ୍ଗ ଧରିଥିବା ଏହି ନେତାଙ୍କ ଦେଖା ଦର୍ଶନ ନାହିଁ । ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାନ୍ତି । ନିର୍ବାଚନ ପ୍ରଚାର ବେଳେ ବିଜେପିର ଏହି ତୁଙ୍ଗ ନେତା କହିଥିଲେ ଯେ, ତାଙ୍କ ପ୍ରାର୍ଥୀ ଜିତିଲେ ସେ ଧାମନଗରର ରୂପରେଖ ବଦଳାଇଦେବେ । ଧାମନଗର ଭିନ୍ନ ଏକ ନିର୍ବାଚନମଣ୍ଡଳୀ ପାଲଟିଯିବ । ହେଲେ କୁଆଡେ ଗଲା ସେ ପ୍ରତିଶ୍ରୁତି ? ଏଥିରୁ ଭୋଟ ରାଜନୀତି କରୁଥିବା ଏହି ନେତାଙ୍କ ପ୍ରକୃତ ଚେହେରା ସ୍ପଷ୍ଟ ହୋଇଯାଇଛି । ଗତ ୧୦ ମାସ ଭିତରେ ସେ ଦିଲ୍ଲୀରୁ ଓଡ଼ିଶାକୁ ୧୦୦ ଥର ଆସିଥିବେ । କିନ୍ତୁ ଧାମନଗରକୁ ଥରୁଟିଏ ବି ମନେ ପକାଇଲେ ନାହିଁ କେମିତି ?"
ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜିତିଲା ସତ, କିନ୍ତୁ ବର୍ଷେ ଭିତରେ ଧାମନଗରବାସୀ ତାଙ୍କ ଉପରୁ ବିଶ୍ବାସ ହରାଇଲେ ବୋଲି ପାଣ୍ଡିଆନ କହିଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିରେ ଏକ ସାଧାରଣ ସଭାକୁ ଉଦବୋଧନ ଦେଇ 5T ଅଧ୍ୟକ୍ଷ ଏଭଳି ତୀର ମାରିଛନ୍ତି । ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଧାମନଗରରେ ବିଜେପି ଦଳର ବିଧାୟକ ଅଛନ୍ତି । ସେଥିପାଇଁ ଧାମନଗର ନଯିବା ପାଇଁ ତାଙ୍କୁ କିଛି ଲୋକ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଧାମନଗର ଯାଇ ଧାମନଗରର ଉନ୍ନତି ପାଇଁ ଯାହା ଆବଶ୍ୟକ ତାହା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି । ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ତାଙ୍କ ପରିବାର । ଗରିବ ମୁହଁରେ ହସ ଫୁଟାଇବା ହେଉଛି ତାଙ୍କ ଲକ୍ଷ୍ୟ । ଗତ ଜୁନ ୧୨ ତାରିଖରେ ଧାମନଗର ଆସି ଲୋକଙ୍କଠାରୁ ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣ କରିଥିଲେ । ଧାମନଗରବାସୀଙ୍କ ସ୍ନେହ ଓ ଭଲପାଇବା ତାଙ୍କୁ କାମ କରିବା ଲାଗି ପ୍ରେରଣା ଦେଇଛି । ଜୁନ ମାସଠୁ ଆଜି ମଧ୍ୟରେ ୧୦୦ କୋଟି ଟଙ୍କା ଧାମନଗର ପାଇଁ ମଞ୍ଜୁର ହୋଇଛି ବୋଲି ପାଣ୍ଡିଆନ କହିଛନ୍ତି ।