ଭଦ୍ରକ:ଜିଲ୍ଲା ଧାମରା ବନ୍ଦର ଆଦାନୀ କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଥିବା ଧାମରା-ଭଦ୍ରକ ରେଳପଥର ଦୋହରୀକରଣ କାର୍ଯ୍ୟ ଜାରି ସମୟରେ ବିବାଦ ଉପୁଜିଛି । ଏହି ରେଳପଥ ନିର୍ମାଣ କରୁଥିବା କମ୍ପାନୀର ଭାରିଯାନ ଲଗାତାର ଚଳାଚଳ ହେଉଥିବାରୁ ମଙ୍ଗଳପୁର-କମାରିଆ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ପୀରହାଟ ଥାନାଧିନ ମଙ୍ଗଳପୁର ନିକଟରେ ରେଳପଥ ନିର୍ମାଣ କରୁଥିବା କମ୍ପାନୀର ଗାଡି ଚଳାଚଳକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିରୋଧ କରାଯାଇଛି । କମ୍ପାନୀର ମନମାନି ନୀତି ବିରୋଧରେ ମୁହଁ ଖୋଲିଛନ୍ତି ଲୋକେ । ମଙ୍ଗଳପୁର-କମାରିଆ ରାସ୍ତାରେ କମ୍ପାନୀର ଦୈନିକ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡିଛି । ଗ୍ରାମବାସୀଙ୍କ ସହିତ କୌଣସି ପ୍ରାକ୍ ଆଲୋଚନା ନକରି ରେଳପଥ ନିର୍ମାଣ କରୁଥିବା କମ୍ପାନୀ ଏହି ରାସ୍ତାରେ ମାଲ ପରିବହନ କରୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି ।
ଅଣଓସାରିଆ ରାସ୍ତାରେ କମ୍ପାନୀ ମାଲ ବୋଝେଇ ଗାଡି ଚଳାଚଳ କରୁଥିବାରୁ ବିପଦ ସୃଷ୍ଟି ହୋଇଛି । ଛୋଟ ଛୋଟ ପିଲାମାନଙ୍କ ସମେତ ବୃଦ୍ଧ, ବୃଦ୍ଧା ଏପରିକି ମହିଳାମାନେ ଏହି ରାସ୍ତାରେ ଯିବାକୁ ଭୟ କଲେଣି । ରାସ୍ତାର କ୍ଷମତାଠାରୁ ଅଧିକ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ନିର୍ମାଣ କରୁଥିବା କମ୍ପାନୀକୁ ବାରମ୍ବାର ଅବଗତ କରିବା ସତ୍ତ୍ବେ ସେମାନେ ଶୁଣୁନଥିବା ଏବଂ ଗ୍ରାମବାସୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।